କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବ । ହେଲେ ଏସବୁ ଭିତରେ ଅଧ୍ୟାପକଙ୍କ ଆନ୍ଦୋଳନ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ ଏବେ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକମାନେ । ପ୍ରାୟ ୫ ହଜାର ଶିକ୍ଷକ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି ।

Advertisment

ଏପରି ସ୍ଥତିରେ ବିକଳ୍ପ ପନ୍ଥା ଆପଣାଇବାକୁ ଚିନ୍ତା କରୁଛନ୍ତି ସରକାର । ଅଧ୍ୟାପକଙ୍କ ବଦଳରେ ହାଇସ୍କୁଲର ଶିକ୍ଷକମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଅଧ୍ୟାପକଙ୍କ ଦାବି ପୂରଣ ନେଇ ଏକ ପ୍ରତିନିଧି ମଣ୍ଡଳୀ ସହ ସରକାର ଘନ ଘର ବୈଠକ କରିଛନ୍ତି । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଆଜି ଦିନ ୧୧ଟାରେ ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସଙ୍କ ସହ ଅଧ୍ୟାପକଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବାର ଅଛି ।

ଅଧ୍ୟାପକମାନଙ୍କୁ ଦାବି ପୁରଣ ପ୍ରତିଶ୍ରୁତି ଦେଇ କଲେଜକୁ ଫେରାଇବେ ନାଁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ତାହା ଉପରେ ନଜର ରହିଛି । ହାତରେ ସମୟ କମ ଥିବାରୁ ସରକାର ଦୁଇଟି ପନ୍ଥା ଆପଣାଇବକୁ ପ୍ରସ୍ତୁତ ହୋଇଛନ୍ତି । ଦ୍ୱିତୀୟ ବିକଳ୍ପ ପାଇଁ ଗଣଶିକ୍ଷା ବିଭାଗ ରୂପରେଖ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ତେବେ ମୋଟ ଉପରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ରେଗୁଲାର ଏବଂ ଏକ୍ସ ରେଗୁଲାରରେ ମୋଟ ୩ ଲକ୍ଷ ୫୭ ହଜାର ୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଅଛି ।