ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା:କହିଲେ, ଓଡିଶା ପ୍ରାପ୍ୟ ବକେୟା ଟଙ୍କା ଖୁବ୍ ଶୀଘ୍ର ମିଳିବ

ଏଫସିଆଇର ଚିଠି ସତ୍ତେ୍ୱ ଚାଉଳ ସଂଗ୍ରହ ଜାରି ରଖିବାକୁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ପୀୟୁଷ ଗୋଏଲ

61

କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଓଡିଶାକୁ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ୬ ହଜାର ୩୯ କୋଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଖୁବଶୀଘ୍ର ବକେୟା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ଏବାବଦରେ ଶୀଘ୍ର ନିଷ୍ପତ୍ତି ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ବକେୟା ଉଷୁନା ଚାଉଳ ନନେବା ଓ ରବି ଋତୁରେ ଚାଉଳ ନଉଠାଇବା ସମ୍ପର୍କରେ ରାଜ୍ୟକୁ ଏଫସିଆଇ ଦେଇଥିବା ଚିଠି ନେଇ ମଧ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବିଜେଡି ପ୍ରତିନିଧି ଦଳ । ଏଫସିଆଇର ଚିଠି ସତ୍ତ୍ବେ ଚାଉଳ ସଂଗ୍ରହକୁ ତୁରନ୍ତ ବନ୍ଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପିୟୁଷ ଗୋଏଲ । ବିଜେଡି ସାଂସଦଙ୍କ ଏହି ପ୍ରତିନିଧି ଦଳରେ ପିନାକୀ ମିଶ୍ରଙ୍କ ସମେତ ସସ୍ମିତ ପାତ୍ର, ଭାସ୍କର ରାଓ, ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ ଓ ଚନ୍ଦ୍ରଶେଖର ସାହୁ ସାମିଲ ହୋଇଥିଲେ ।