ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି…ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ

80

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେଡିକାଲ ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀ ଓଡ଼ିଶାରେ କାମ କରିପାରିବେ। ଏଥିପାଇଁ ସେମାନଙ୍କୁ ଓଡ଼ିଶା ମେଡିକାଲ ଆଇନ ୧୯୬୧ର ଧାରା ୩ ଅନୁଯାୟୀ ଓଡ଼ିଶା ମେଡିକାଲ ପରିଷଦର ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ନିଯୁକ୍ତି ପ୍ରକ୍ରିୟା ଓ କଣ୍ଡିସନ୍ ଅଫ ସର୍ଭିସ) ସଂଶୋଧନ ନିୟମ ୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହି ଅନୁଯାୟୀ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ମିଳିଛି।

ନିକଟରେ ରାଜ୍ୟ ସରକାର ରାଜ୍ୟରେ ୨୪୫୨ ଡାକ୍ତର, ୮୨ ଦନ୍ତ ଚିକିତ୍ସକ ଓ ୯୪ ସହକାରୀ ପ୍ରଫେସରଙ୍କ ନିଯୁକ୍ତି କରାଯିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ଡାକ୍ତରଙ୍କ ଅଭାବକୁ ଦୂର କରିବା ଦିଗରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ପୂର୍ବରୁ କେବଳ ଓଡ଼ିଶାର ବାସିନ୍ଦା ଭାବେ ଓଡ଼ିଆ କହିପାରୁଥିବା ଓ ଲେଖିପାରୁଥିବା ବ୍ୟକ୍ତିଙ୍କୁ ଓଡ଼ିଶାରେ ଚାକିରି କରିବାର ସୁଯୋଗ ରହିଥିଲା। ମାତ୍ର ଏବେ ଏଥିରେ ସଂଶୋଧନ କରାଯାଇଛି। ଯେଉଁ ବାହାର ରାଜ୍ୟର ମେଡିକାଲ ଛାତ୍ରଛାତ୍ରୀ ଓଡ଼ିଆରେ ମାଧ୍ୟମିକ ଶିକ୍ଷା ହାସଲ କରି ନ ଥି‌ବେ, ସେମାନଙ୍କୁ ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବାକୁ ହେବ। ଉତ୍ତର-ପୂର୍ବ ରାଜ୍ୟରେ ଆସାମ ବାଦ୍ ଓଡ଼ିଶା ଏଭଳି ପଦକ୍ଷେପ ନେବାକୁ ଯାଉଛି।