ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ଲୋକଙ୍କ ପାଇଁ ଖୁସି ଖବର । ରାଜ୍ୟ ବାହାର ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ଲୋକେ, ୪୦୩୬ଟି ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା

54

କନକ ବ୍ୟୁରୋ : ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ବାହାରେ ରହୁଥିବା ଲୋକମାନେ ଏହାର ସୁଫଳ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ନୂଆ ଘୋଷଣା ମୁତାବକ କ୍ୟାନସର, କିଡନୀ ଓ ହୃଦରୋଗୀଙ୍କ ପାଇଁ ଆୟ ସୀମା କୋହଳ କରାଯାଇଛି । ପୂର୍ବରୁ ବାର୍ଷିକ ୧ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସହାୟତା ମିଳୁଥିବା ବେଳେ ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମିଳିବ ଏହି ସହାୟତା ।

ଯଦି ଆପଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଅଛନ୍ତି, ତେବେ ରାଜ୍ୟ ବାହାରେ ମଧ୍ୟ ଆପଣ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏପରିକି ଏହି ଯୋଜନାରେ ରାଜ୍ୟ ବାହାରେ ରହୁଥିବା ରୋଗୀମାନେ ମଧ୍ୟ ସୁବିଧା ପାଇପାରିବେ । ସେମାନଙ୍କ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ୨ ହଜାର ଟଙ୍କା ମିଳିବ । ନୂଆ ଘୋଷଣା ମୁତାବକ କ୍ୟାନସର, କିଡନୀ ଓ ହୃଦରୋଗୀଙ୍କ ପାଇଁ ଆୟ ସୀମା କୋହଳ କରାଯାଇଛି । ପୂର୍ବରୁ ବାର୍ଷିକ ୧ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସହାୟତା ମିଳୁଥିଲା । ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମିଳିବ ଏହି ସହାୟତା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯୋଜନାରେ ୪ ହଜାର ୩୬ଟି ରୋଗ ପାଇଁ ମାଗଣା ଚିକିତ୍ସା ମିଳିବ । ତେବେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ୧୩୪୩ଟି ରୋଗ ପାଇଁ ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ରାଜ୍ୟ ସରକାରଙ୍କ କହିବା ହେଲା ଏ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଏହି ଯୋଜନାରୁ ଉପକୃତ ହୋଇଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ୧୮ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ସେପଟେ ବିଜେପି କହିଛି ରୋଗ କଣ ଟଙ୍କାରେ ଭଲ ହେବ । ଯେଉଁଠି ରାଜ୍ୟରେ ଡାକ୍ତରଖାନାର ଭିତିଭୂମି ନିମ୍ନମାନର ରହିଛି , ଅପରେସନ ଟର୍ଚ୍ଚ ଲାଇଟରେ ହେଉଛି ସେଠାରେ କଣ ଖାଲି ଟଙ୍କା ଦେଇଦେଲେ ରୋଗ ଭଲ ହୋଇଯିବ ।

ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ଚିକିତ୍ସାଳୟରେ ବିନା ଦେୟରେ ସ୍ୱାସ୍ଥ୍ୟ ସେବା ପାଇବେ ୭୦ଲକ୍ଷ ପରିବାର । ତେବେ ରାଜ୍ୟ ବାହାରେ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶା ଲୋକଙ୍କ ପାଇଁ କୌଣସି ସୁବିଧା ନଥିବା ବିଜେପି ଅଭିଯୋଗ କରିଆସୁଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରର ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବା ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ତେବେ ଏହି ଘୋଷଣା ଦ୍ୱାରା କେନ୍ଦ୍ରର ଆୟୁଷ୍ମାନ ଯୋଜନା ତୁଳନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଉକ୍ରୃଷ୍ଟମାନର ବୋଲି ଦାବି କରିଛନ୍ତି ରାଜ୍ୟ ସରକାର ।