ସୀମାବର୍ତ୍ତୀ ଓଡିଶା ଗାଁର ଲୋକେ ଛତିଶଗଡ ମୁହାଁ : ବରଗଡ ବିର୍ଜୁପାଲିର ୪୦ ପରିବାର ଚାଲିଗଲେ ପଡୋଶୀ ରାଜ୍ୟ

ସୁବିଧା ସୁଯୋଗ ପାଇଁ ଛତିଶଗଡ ସୀମାରେ ବସାଇଛନ୍ତି ଗାଁ; ବୁଦ୍ଧିଜୀବୀଙ୍କ ଉଦବେଗ୍, ଚୁପ ବସିଛି ପ୍ରଶାସନ

110

କନକ ବ୍ୟୁରୋ : ଓଡିଶାର ଲୋକ ଏବେ ଛତିଶଗଡର ନାଗରିକ । ଏ ହେଉଛି ଓଡିଶା-ଛତିଶଗଡ ସୀମା । ଓଡିଶା ଜମିରେ ରହିଛି, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ବିର୍ଜୁପାଲି ଗାଁ । ଆଉ ଏହି ନାଳ ପାରିହେଲେ ଛତିଶଗଡର ମଧୁଢିପା ଗାଁ । ଏହି ମଧୁଢିପାର ସମସ୍ତ ବାସିନ୍ଦା ଓଡିଶାର । ଛତିଶଗଡରେ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ବିର୍ଜୁପାଲି ଗାଁରୁ ପ୍ରାୟ ୪୦ ପରିବାର ଯାଇ ମଧୁଢିପା ନାଁରେ ଗାଁ ବସେଇ ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ନିରବଚ୍ଛିନ୍ନ ବିଜୁଳି ସେବା, ଚାଷ ପାଇଁ ଜଳ ଯୋଗାଣ ଓ ମଣ୍ଡିରେ ସୁବ୍ୟବସ୍ଥା ଥିବାରୁ ସୀମାନ୍ତବାସୀ ଏବେ ଛତିଶଗଡ ମୁହାଁ ।

ବିର୍ଜୁପାଲି ଓ ମଧୁଢିପା ଗାଁକୁ ବିଭାଜିତ କରୁଥିବା ଏହି ନାଳ ହିଁ ଓଡିଶା ଓ ଛତିଶଗଡର ସୀମା । ହେଲେ ବିକାଶ କାମ ଦେଖିଲେ ବିର୍ଜୁପାଲିଠୁ ଢେର ଆଗରେ ମଧୁଢିପା ଗାଁ । ୩୫ ବର୍ଷ ପୂର୍ବେ ବିର୍ଜୁପାଲି ଗାଁର ୪ଟି ପରିବାର ମାତ୍ର ୨ଶହ ମିଟର ଦୂର ଛତିଶଗଡ ଅଂଚଳକୁ ଯାଇ ରହିବା ଆରମ୍ଭ କରିଥିଲେ । ଛତିଶଗଡରେ ଭୋଟର ତାଲିକା ଉଠିବା ପରେ ସେମାନ ପାଉଥିବା ସୁବିଧା ଦେଖି ଧିରେ ଧିରେ ୩୫ରୁ ୪୦ ପରିବାର ଯାଇ ସେଠାରେ ସ୍ଥାୟୀ ବାସିନ୍ଦା ହେଲେଣି ।

ବରଗଡ ଜିଲ୍ଲୀର ସୀମାନ୍ତରେ ରହୁଥିବା ଗ୍ରାମବାସୀ ସୁବିଧା ସୁଯୋଗ ପାଇଁ ଛତିଶଗଡ ପ୍ରତି ଆକୃଷ୍ଟ ହେଉଛନ୍ତି । ଯେଉଁମାନେ ଯାଇଛନ୍ତି ସେମାନଙ୍କ ପରିବାରବର୍ଗ ଓଡିଶାରେ ରହିଥିଲେ ମଧ୍ୟ ପୁଣି ଓଡିଶା ଫେରିଆସିବାକୁ ସେମାନେ ରାଜି ନୁହଁନ୍ତି । ବେଳ ଥାଉ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ସୀମାନ୍ତବର୍ତ୍ତୀ ଅଂଚଳର ବହୁ ଲୋକ ଛତିଶଗଡ ଚାଲିଯିବା ଆଶଙ୍କା ରହିଛି ।