କନକ ବ୍ୟୁରୋ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବଡ ବୟାନ । ଦୀର୍ଘଦିନ ପରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜନୀତିରୁ ମୁଁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ମୁଁ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ । ଶରୀରରେ ଶକ୍ତି ଥିବା ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ଆଦର୍ଶରେ କାମ କରିବି । କୌଣସି ପଦପଦବୀରେ ରହିପାରେ ବା ନରହିପାରେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ ବା ନକରିପାରେ । କିନ୍ତୁ ଶକ୍ତି ଥିବା ଯାଏଁ କାର୍ଯ୍ୟ କରିଚାଲିବି ।

Advertisment

ଅସୁସ୍ଥତା ଯୋଗୁଁ ପଂଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ରାଜନୈତିକ ହିଂସାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନିରଞ୍ଜନ । ଗତକାଲି କନକ ନ୍ୟୁଜରେ ପ୍ରସାରିତ ଦୁଇଟି ଖବର ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା କହିଛନ୍ତି ପିସିସି ସଭାପତି । ଗୋଟିଏରେ ବାଗଚି ଦମ୍ପତିଙ୍କ ସୁପରସ୍ପେଶାଲିଟି ହସ୍ପିଟାଲ ପାଇଁ ୪୨୫ କୋଟିର ଦାନ । ଏବଂ ଅନ୍ୟଟିରେ ନିଜ ବ୍ୟବସାୟର ବ୍ରାଣ୍ଡିଂ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ଖବର । ଦୁଇଟି କଥାକୁ ତୁଳନା କରି ସେ ରାଜନୀତିରେ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିବାରେ ଲାଗିଛି ତାହା ପ୍ରକାଶ କରିଛନ୍ତି ।

ସେହିପରି ସୋରରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ ଘଟଣା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ନେତାଙ୍କ ଦ୍ୱାରା ଏଭଳି ହିଂସାକାଣ୍ଡ ହେଉଥିବାରୁ ନିନ୍ଦା କରିଛନ୍ତି ପିସିସି ସଭାପତି ।ଓଡ଼ିଶାରେ ଦୁର୍ନୀତି ଭଷ୍ଟ୍ରାଚାର ଭର୍ତ୍ତି ହୋଇଗଲାଣି । ସ୍କୁଲରେ ରୋଷେଇ କରୁଥିବା ଲୋକଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି । ଯଦି ଚପରାସୀଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି, ତେବେ ନେତା ମନ୍ତ୍ରୀଙ୍କ କଥା ବା ଆଉ କଣ କହିବା । ଦୁର୍ନୀତି କେଉଁ ସ୍ତରକୁ ଗଲାଣି ତାହା ଏଥିରୁ ବେଶ ସ୍ପଷ୍ଟ । ହଣାକଟା, ମାରପିଟ, ନାରୀ ନିର୍ଯାତନା ଏବେ ସବୁଠି ଘଟୁଛି ।