ସାହାସୀ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଓଡିଶା । ବନ୍ୟା, ବାତ୍ୟା ସମୟର ଦୁଃସାହସିକ ରିପୋର୍ଟିଂ କରି ମନ ଜିତିଥିଲେ ଅରିନ୍ଦମ…

145

କନକ ବ୍ୟୁରୋ: ଅଲବିଦା ଅରିନ୍ଦମ । ଜଣେ ସାମ୍ବାଦିକ ଭାବେ ଆଉ ଜଣେ ଯୁବ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏଭଳି କହିବା ଯେତିକି ଦୁଃଖଦାୟକ, ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶବ୍ଦ ଖୋଜି ପାଇବା ମଧ୍ୟ ସେତିକି କଷ୍ଟକର । ସାମ୍ବାଦିକତା ଜଗତର ଜଣେ ଚର୍ଚ୍ଚିତ ଯୁବ ଚେହେରା ଆଜି ଦୁନିଆ ଛାଡି ଚାଲିଯାଇଛନ୍ତି । ବଡକଥା ହେଉଛି ନିଜ ଦାୟିତ୍ୱ ତୁଲାଇବାବେଳେ ତାଙ୍କର ଅକାଳ ବିୟୋଗ ହୋଇଛି । ଓଡିଶା ଗଣମାଧ୍ୟମ ପ୍ରତି ଏହା ଏକ ଅପୂରଣୀୟ କ୍ଷତି । କାରଣ ଖୁବ କମ ବୟସରେ ନିଜର ଚମତ୍କାର ରିପୋର୍ଟିଂ ଜରିଆରେ ସେ କେବଳ ଓଡିଶା ଟେଲିଭିଜନ ସାମ୍ବାଦିକତାର ଶିଖର ଛୁଇଁନଥିଲେ ବରଂ ଟିଭି ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ।

ଯେଉଁଠି ତାଙ୍କର କର୍ମସ୍ଥଳ ଥିଲା, ଆଜି ସେହି ଓଟିଭି କାର୍ଯ୍ୟାଳୟରେ ପହଁଚିଥିଲା ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ମର ଶରୀର । ଆଉ ମର ଶରୀର ପହିଞ୍ଚିବା ପରେ ଶୋକାକୂଳ ହୋଇପଡିଥିଲା ପୂରା ପରିବେଶ । ସାଥୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଓଡିଶା ଗଣମାଧ୍ୟମ ଜଗତର ଅନେକ ବ୍ୟକ୍ତି ଏଠାରେ ପହଞ୍ଚି ଅରିନ୍ଦମଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଆଉ ସମସ୍ତେ ଅରିନ୍ଦମଙ୍କ ସହ ଥିବା ସେମାନଙ୍କ ସ୍ମୃତିକୁ ମନେ ପକାଇଥିଲେ ।

ଦୈନିକ ସମ୍ବାଦପତ୍ର ଧରିତ୍ରୀରେ କ୍ରାଇମ ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଅରିନ୍ଦମ ଦାସ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଅତି ସ୍ୱଭାବ ସୁଲଭ ଢଙ୍ଗରେ ନିଜ ସଂସ୍ଥା ପାଇଁ କାମ କରୁଥିବା ଏହି ଯୁବ ସାମ୍ବାଦିକ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବରର ସାକ୍ଷୀ ପାଲଟିଥିଲେ । ଖବର ସଂଗ୍ରହ ମଧ୍ୟରେ ସଂସ୍ଥାର ଭରସା ସାଉଁଟି ଥିଲେ ଏବଂ ତାଙ୍କୁ ମିଳିଥିଲା ଲୋକଙ୍କ ଅଜସ୍ର ଭଲପାଇବା । ଏକାଧିକ ଥର ତାଙ୍କୁ ଦୁଃସାହସିକ ରିପୋର୍ଟିଂ କରୁଥିବା ଦେଖିଛନ୍ତି ଟେଲିଭିଜନ ଦର୍ଶକ । ବନ୍ୟା, ବାତ୍ୟା ଓ ରେସ୍କ୍ୟୁ ଅପରେସନ୍ ଭଳି ଦୁର୍ଗମ ସ୍ଥାନରେ ତାଙ୍କୁ ଟିଭି ପରଦାରେ ଦେଖିଛନ୍ତି ଅଗଣିତ ଦର୍ଶକ । ଆଉ ସେହିଭଳି ଏକ ଦୁଃସାହସିକପୂର୍ଣ୍ଣ ରିପୋର୍ଟିଂ ବେଳେ ଘଟିଛି ବଡ ଅଘଟଣ । ମାତ୍ର ୩୯ ବର୍ଷ ବୟସର ଏହି ଯୁବ ସାମ୍ବାଦିକଙ୍କୁ ଅନ୍ତିମ ବିଦାୟ ଜଣାଇଛି ସାରା ଓଡିଶା ।