କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ । ଦିନ ୧୧ଟା ସୁଦ୍ଧା ୩୦%ରୁ ଅଧିକ ମତଦାନ । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଚାଲିଥିବା ନିର୍ବାଚନ କମିଶନ ସଚିବଙ୍କ ସୂଚନା ଦେଇଛନ୍ତି । ଦିନ ୧ଟା ସୁଦ୍ଧା ବୁଥ ଭିତରେ ଥିବା ଭୋଟର ମତଦାନ କରିପାରିବେ । ସେହିପରି କୋଭିଡ୍ ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇପାରିବେ ।

Advertisment

କଳାହାଣ୍ଡି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଚାଲିଛି ମତଦାନ । ନିର୍ବାଚନ ମ଼ଣ୍ଡଳୀର ୭ଟି ଜୋନରେ ପ୍ରାର୍ଥୀ ବାଛୁଛନ୍ତି ଭୋଟର । ଜୁନାଗଡ଼ ବ୍ଲକର ୩୪ ଟି ପଂଚାୟତର ୪ଟି ଜୋନରେ ୩୯୦ଟି ବୁଥ ଥିବା ବେଳେ ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୬୩ ଜଣ ସରପଂଚ, ୧୩୮ ଜଣ ସମିତିସଭ୍ୟ ଓ ୩୯୬ ଜଣ ୱାର୍ଡ ସଭ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିରେ ୧ଲକ୍ଷ ୭୩ ହଜାର ୬୬୦ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସେହିପରି ଗୋଲାମୁଣ୍ଡା ବ୍ଲକର ୨୮ଟି ପଂଚାୟତ ୩ଟି ଜୋନରେ ୩୨୭ଟି ବୁଥ ଥିବା ବେଳେ ୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୩୯ ଜଣ ସରପଂଚ, ୯୮ ସମିତିସଭ୍ୟ ଓ ୪୮୪ ଜଣ ୱାଡସଭ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୧ଲକ୍ଷ ୨୯ ହଜାର ୪୯୯ ଜଣ ନିଜର ମତଦାନ ସାବ୍ୟସ୍ତ କରିବେ । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୫୫ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୨୧ଟି ମୋବାଇଲ ପାଟ୍ରୋଲିଂ ଟିମ୍ ଓ ୨୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି ।

ଟାଙ୍ଗି ଏବଂ ବୋଲଗଡ଼ରେ ନେତା ବାଛୁଛନ୍ତି ଜନତା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଓ ବୋଲଗଡ଼ ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ ଦେଇ ନିଜ ନେତାଙ୍କୁ ବାଛିବା ପାଇଁ ଭୋଟରଙ୍କ ଲାଗିଛି ଲମ୍ବା ଲାଇନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଏବଂ ବୋଲଗଡ଼ ବ୍ଲକରେ ସମୁଦାୟ ୨୮ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୭୩ ସରପଂଚ ପ୍ରାର୍ଥୀ, ୧୮୦ ସମିତି ସଭ୍ୟ ପ୍ରାର୍ଥୀ ଓ ୧ ହଜାର ୭୪ ୱାର୍ଡ଼ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୦ ହଜାର ୪୮୭ ଭୋଟର ।

ଅନ୍ୟପକ୍ଷରେ ବହ୍ମିଗିରିରେ ମତଦାନ ଚାଲିଥିବା ବେଳେ ବହ୍ମଗିରି ବିଧାୟକ ଲଲେତେନ୍ଦୁ ବିଦ୍ୟାଧର ମହାପାତ୍ର ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ଅନେକ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ ଟି ବ୍ଲକ ବଡଗାଁ, ଲାଠିକଟା, କୁଆଁରମୁଣ୍ଡା ଓ ବଣେଇଁର ୯ ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଭୋଟଦାନ କେନ୍ଦ୍ରମାନଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ହେଲେ ବଡଗାଁରେ ଅଧିକ ସଚେତନ ଅଛନ୍ତି ମହିଳା ଭୋଟର । ପୁରୁଷଙ୍କ ତୁଳନା ରେ ସକାଳୁ ସକାଳୁ ମହିଳା ଙ୍କ ଲମ୍ବା ଲାଇନ ଦେଖିବା କୁ ମିଳିଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୨୧ଟି ପଂଚାୟତରେ ମତଦାନ ଆରମ୍ଭ ହୋଇଯାଇଛି । ୫୬ ଜଣ ସରପଂଚ, ୪୯ ସମିତିସଭ୍ୟ, ୩୬୬ ୱାର୍ଡ ମେମ୍ବର, ୧୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ୭୩ ହଜାର ୫୯୨ ଜଣ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।