କନକ ବ୍ୟୁରୋ : ପଞ୍ଚମ ପର୍ୟ୍ୟାୟ ନିର୍ବାଚନରେ ଦିନ ୧୨.୩୦ ସୁଧା ୫୫ ପ୍ରତିଶତ ମତଦାନ ହୋଇଛି । ସ୍ୱାଭିମାନ ଅଞ୍ଚଳ ବା ଚିତ୍ରକୁଣ୍ଡାରେ ୫୨ ପ୍ରତିଶତ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଛି । କେବଳ କଟକର ନିଆଳି ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଯାଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଛି । ତୃତୀୟ ପର୍ୟ୍ୟାୟରେ ୩୦ ଟିଓ ଚର୍ତୁଥ ପର୍ୟ୍ୟାୟରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ୬ଟି ସ୍ଥାନରେ ରି ପୁଲିଂ ହେବ । ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ୟ୍ୟାୟ ନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ଆସନ୍ତାକାଲି ହେବ ପୁନଃ ମତଦାନ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ମତଦାନ ବେଳେ ନିଆଳି ପୋଖରୀ ଗାଁରେ ଥିବା ବିଭିନ୍ନ ବୁଥରେ ବୁଥ୍ ଜବରଦଖଲ ଅଭିଯୋଗ ହୋଇଛି । ଭୋଟ ବାକ୍ସ ଲୁଟକୁ ନେଇ ଉତେଜନା ପ୍ରକାଶ ପାଇବା ସହ ଟାୟାର ଜାଳି ଲୋକେ ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୯ଟା ପର୍ଯ୍ୟନ୍ତ ସବୁ ବୁଥରେ ମତଦାନ ଠିକ ଠାକ୍ ଚାଲିଥିଲା । ହେଲେ ପୋଖରୀ ଗାଁ ପଞ୍ଚାୟତରେ କିଛି ଦୁର୍ବୃତ ହଠାତ୍ ବୁଥରେ ପଶି ଏଜେଂଟ ମାନଙ୍କୁ ମାଡ଼ ମାରିବା ସହ ବାଲାଟ ବକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ । ଏହାକୁ ବିରୋଧ କରି ପୋଖରୀ ଗାଁ ଲୋକେ ରାସ୍ତାରୋକ କରିଥିଲେ ।
ଘଟଣାସ୍ଥଳରେ ପିଡ଼ିଡ଼ିଆଡି, ନିଆଳି ତହସିଲଦାର, ଥାନା ଅଧିକାରୀ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ଲୋକମାନେ ତାଙ୍କ କଥା ବୁଝିବା ପରିବର୍ତେ ସେମାନଙ୍କୁ ଅଟକ ରଖିଥିଲେ ଲୋକେ । ପୋଖରୀ ଗାଁରେ ପୁନଃ ମତଦାନ ନିମନ୍ତେ ଗ୍ରାମବାସୀ ଦାବି କରିବା ସହ ଦୁର୍ବୃତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦୀର୍ଘ ୩ ଘଂଟା ଧରି ଅଧିକାରୀମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବୁଝାସୁଝା ପରେ ରାସ୍ତାରୋକରୁ ହଟିଛନ୍ତି ଲୋକେ ।