କନକ ବ୍ୟୁରୋ : ବିଂଝାରପୁରର ବାଛୋଳରେ ସାମ୍ବାଦିକ ଆକ୍ରମଣ ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଏ ଯାଏଁ ଗିରଫଦାରୀଙ୍କ ସଂଖ୍ୟା ୧୫ରେ ପଂହଚିଛି । ପୂର୍ବରୁ ୧୨ ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇସାରିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶ୍ରୀଧର ମଲ୍ଲିକ ଏବେ ବି ଫେରାର ଅଛି । ରବିବାରଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ୪୦ରୁ ୫୦ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଥିଲେ । ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ ।

Advertisment

ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ । ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାରୁ ଭିଜୁଆଲ କ୍ୟାମେରାରେ କଏଦ ହୋଇଥିଲା । କନକ ନ୍ୟୁଜ ପ୍ରତିନିଧିଙ୍କ ସହ ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଘଟଣା ପରେ ପୁଲିସ ଆଇଜି ନରସିଂହ ଭୋଳ ବିଂଝାରପୁର ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପି ରାହୁଲ ପିଆରଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।