କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ନିର୍ବାଚନ ଆରମ୍ଭରୁ ରାଜନୈତିକ ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ କହିଛନ୍ତି, ଏହା ଚିନ୍ତାଜନକ ଓ ଦୁଃଖଦାୟକ । ରାଜ୍ୟ ନିର୍ବାଚନ କମିଶନ,ଆଇନଶୃଙ୍ଖଳା ସ୍ଥିତି ଠିକ ନଥିବା ସେ କହିଛନ୍ତି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।

Advertisment

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ଘଟଣାକୁ ନିନ୍ଦା କରି ଏକ ଭିଡିଓ ବାର୍ତା ଜାରି କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଅନେକ ସ୍ଥାନରେ ହିଂସା ଏବଂ ବୁଥ ଜବରଦଖଲର ଖବର ଆସିଛି । ନିର୍ବାଚନ ନେଇ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଥିଲେ । କିନ୍ତୁ ହିଂସାର ଖବର ପ୍ରମାଣ କରିଛି ସରକାର ବାହାସ୍ପୋଟ ମାରୁଥିଲେ । ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ପୁଲିଂ ବୁଥରେ ଭୋଟରଙ୍କୁ ଧମକ ଓ ଭୟଭୀତ କରାଇ ଭୋଟ୍ ଗ୍ରହଣ କେନ୍ଦ୍ରକୁ ନଆସିବା ଲାଗି ବାରଣ କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି ।

ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ଶାନ୍ତିପୂର୍ଣ୍ଣ ନିର୍ବାଚନରେ ହିଁ ଗଣତନ୍ତ୍ର ସମ୍ଭବ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ନିର୍ବାଚନ ହାରିବା ଭୟରେ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ପ୍ରଣବ କହିଛନ୍ତି । ଏଥିସହିତ ଜୁଏଲ ଓରାମ ମହିଳାଙ୍କ ପ୍ରତି ଦେଖାଇଥିବା ଅଶୋଭନୀୟ ଆଚରଣ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା କଥା ଉଲ୍ଲେଖ କରିଛନ୍ତି ।