କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ୧୩ ଶହ ୮୨ଟି ପଂଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ନିର୍ବାଚନ ହେବ । ଏଥିପାଇଁ ପୁଲିଂ ଅଧିକାରୀମାନେ ବ୍ଲକରେ ପହଂଚୁଛନ୍ତି । ତୃତୀୟ ପର୍ଯ୍ୟାୟ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ଗତକାଲି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧ ପ୍ରତିଶତ ମତଦାନ ହୋଇଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ୭୭ ପ୍ରତିଶତ ମତଦାନ ହୋଇଥିଲା ।

Advertisment

କମିସନ୍‌ଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଭୋଟ୍‌ ଗ୍ରହଣ ସମୟରେ ଅଳ୍ପ କିଛିସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ବାଦ୍‌ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍‌ ଗ୍ରହଣ କାର୍ଯ୍ୟସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିସନ୍ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ୍‌ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆଜିର ନିର୍ବାଚନରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି ।

କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବାଫଳରେ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥ୍‌ରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହା ବାଦ୍ ବାଲଟ୍‌ ପେପରେ ତ୍ରୁଟି ପାଇଁ ଦୁଇ ତିନି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେବ । ଏ ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିସନ୍‌ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।