କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଂଚ ଚାଲିଛି । ୨୨ ତାରିଖରୁ ମନୋନୟନ ପତ୍ର ଯାଂଚ ହେଉଛି । ଆସନ୍ତା ୨୫ ତାରିଖ ଅପରାହ୍ନ ୩ଟା ସୁଦ୍ଧା କୌଣସି ପ୍ରାର୍ଥୀ ତାଙ୍କରୁ ପ୍ରତ୍ୟାହାର କରିପାରିବେ । ଏହାପରେ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । ଚଳିତ ଥର ରାଜ୍ୟରେ ମୋଟ ୮୫୩ ଜିଲ୍ଲାପରିଷଦ ଆସନ ପାଇଁ ୩ ହଜାର ୯୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ପଞ୍ଚାୟତ ସମିତି ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସରପଂଚ ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩୪ ହଜାର ୬୧୩ ଜଣ ପ୍ରାର୍ଥୀ ।

Advertisment

ସେହିପରି ୱାର୍ଡ ସଭ୍ୟ ପାଇଁ ମୋଟ ୧ ଲକ୍ଷ ୬୨ହଜାର ୨୯୭ ଜଣ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସର ପାଖରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ସରିବା ପରେ ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଉପରେ ସମସ୍ତଙ୍କ ନଜର ରହିଛି । ଚଳିତଥର କୋଭିଡ କଟକଣାରେ ପଞ୍ଚାୟତ ନିର୍ବାଚନ ହେଉଛି । ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ନିର୍ବାଚନ କମିଶନ ବଡ ବଡ ରାଲି ଏବଂ ସମାବେଶ ଉପରେ ରୋକ୍ ଲଗାଇଛନ୍ତି । ପ୍ରାର୍ଥୀମାନେ ଏବେ ଗାଁକୁ ଗାଁ ଆଉ ଘରକୁ ବୁଲି ପ୍ରଚାର କରୁଛନ୍ତି । ଚଳିତଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଏଥିପାଇଁ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ ।