ସରପଞ୍ଚ ପଦ ପାଇଁ ସଉତୁଣୀ ବନାମ ସଉତୁଣୀ । ପ୍ରଥମ ସ୍ତ୍ରୀ ମୈଦାନକୁ ଓହ୍ଲାଇବା ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପ୍ରାର୍ଥୀ କରାଇଲେ ସ୍ୱାମୀ ।

481

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଅନେକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଧୁମାତ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ । ସେପଟେ ୪୦ଦିନର ଛୁଆକୁ ଧରି ମା କରୁଛି ପ୍ରଚାର ତ ଆଉ କେଉଁଠି ଦୀର୍ଘ ୧୫ ବର୍ଷ ପରେ ଭୋଟ୍ ଦେବେ ଭୋଟର ।

ସଉତୁଣୀ ବନାମ ସଉତୁଣୀ । ପ୍ରଥମ ପତ୍ନୀଙ୍କୁ ହରାଇବାକୁ ସ୍ୱାମୀ ଚଲାଇଲେ ଚାଲ୍ । ଦ୍ୱିତୀୟ ପତ୍ନୀଙ୍କୁ ମଇଦାନକୁ ଆଣି ଦେଖାଇବେ ପତିଆରା ? ରାଜନୀତିର ରୋଚକ ଦୃଶ୍ୟ ଆସିଛି କେନ୍ଦ୍ରାପଡା ଧୁମାତ ପଞ୍ଚାୟତରୁ । ସୂଚନା ଅନୁସାରେ, ଅକ୍ଷୟ ମଲ୍ଲିକଙ୍କ ଦୁଇ ପତ୍ନୀ କମଳା ମଲିକ ଓ ସସ୍ମିତା ମଲିକ ଭୋଟ୍ ପାଇଁ ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ସ୍ତ୍ରୀଙ୍କ ସହ ଚାଲିଥିବା ବିବାଦ ଏବେ କୋର୍ଟରେ । ଆଉ ସେ ଯେତେବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ତାଙ୍କୁ ଚେକ୍ ଦେବାକୁ ଅକ୍ଷୟ ନିଜ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ବିରୋଧରେ ଠିଆ କରାଇଲେ । ସରପଞ୍ଚ ପଦ ପାଇଁ ସଉତୁଣୀଙ୍କ ଲଢେଇ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ହାତରେ ମାସେ ୧୦ ଦିନର ଛୁଆ, ବେକରେ ଦଳୀୟ ଉତରୀୟ । ଉଭୟ ଦାୟିତ୍ୱକୁ ସଠିକ ଭାବେ ତୁଲାଇବାକୁ ପୂଜାର୍ଚନା କରି ବାହାରି ଯାଉଛନ୍ତି ପ୍ରଚାର ଅଭିଯାନରେ । ରାଜନୀତି ଆଉ ପରିବାର ଭିତରେ ସମନ୍ୱୟ ରକ୍ଷା କରି ଭୋଟରଙ୍କ ନିକଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି କେନ୍ଦ୍ରାପଡା ମହାକାଳପଡା ନିର୍ବାଚନ ମଣ୍ଡଳୀର ୨୫ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗାଡତି ପ୍ରଧାନ । ମହିଳା ସଶକ୍ତୀକରଣର ଯେଉଁ ଦିଗକୁ ନେଇ ସବୁବେଳେ ବିତର୍କ ହୁଏ ତାର ଭିନ୍ନ ରୂପ ଏଠି ଦେଖିବାକୁ ମିଳିଛି ।

ପ୍ରଚାର ମୈଦାନର ନିଆରା ଚିତ୍ର ଭିତରେ ବିରୋଧର ଧାରା ବି ଜାରି ରହିଛି । ବରଗଡ ପଦ୍ମପୁର ଉପଖଣ୍ଡ ଗାଇସିଲଟରେ ଲାଗିଛି ଭୋଟ୍ ବର୍ଜନର ପୋଷ୍ଟର । ସ୍କୁଲ ଉଚ୍ଛେଦକୁ ବିରୋଧ କରି ଲୋକେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ସ୍କୁଲ ଉଠିଯିବା ପରେ ପିଲାମାନେ କେମିତି ସ୍କୁଲ ଯିବେ ଚିନ୍ତାରେ ଗାଁ ଲୋକେ । ଯାହାକୁ ନେଇ ନିର୍ବାଚନ ବେଳେ ଅସନ୍ତୋଷ ଜାହିର କରିଛନ୍ତି ।