କନକ ବ୍ୟୁରୋ : ପଂଚାୟତ ଭୋଟ୍ ପାଇଁ ବଡ ପ୍ରସ୍ତୁତି । ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସମସ୍ତ ରାଜନୈତିକ ଦଳ ସହ ଆଲେଶଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଯୋଗଦେବେ । ରାଜ୍ୟ ନିର୍ବାାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ ।
କୋଭିଡ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇ ଜଣ ପ୍ରତିନିଧି ଏହି ବୈଠକରେ ସାମିଲ ହେବେ । ବର୍ତମାନ ଜିଲ୍ଲା ପରିଷଦ ଗୁଡିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ନିର୍ବାଚନ ନେଇ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବେଳେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି ।
ଗତ ୧୬ ତାରିଖରେ ଜିଲ୍ଲା ପରିଷଦ ସଭାପତି ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରସ୍ତୁତି ବେଳେ ୪ଟି ଜିଲ୍ଲାରେ ସଂରକ୍ଷଣ ସ୍ଥିତି ବଦଳିଛି । ଚିଠା ତାଲିକାରେ କେନ୍ଦୁଝର ଓ ଗଜପତି ଜିଲ୍ଲା ପରିଷଦ ସଭାପତି ପଦବି ପଛୁଆ ବର୍ଗ ପାଇଁ ସଂରକ୍ଷିତ ଥିଲା ବେଳେ ଚୂଡ଼ାନ୍ତ ତାଲିକାରେ ଉଭୟ ପଦବି ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଚିଠା ତାଲିକାରେ ନୟାଗଡ଼ ଓ ସୋନପୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦବି ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ଚୂଡ଼ାନ୍ତ ତାଲିକାରେ ଉଭୟ ପଦବି ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି ।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସଂରକ୍ଷଣ ପ୍ରକ୍ରିୟା ଶେଷ ହେବାର ଥିଲା। କିନ୍ତୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସଭାପତି ଓ ସଦସ୍ୟ ସଂରକ୍ଷଣ ତାଲିକା ୩୦ ତାରିଖରେ ନିର୍ବାଚନ କମିସନ୍ଙ୍କୁ ଦିଆଯାଇପାରି ନ ଥିଲା। ୬ ଦିନ ବିଳମ୍ବରେ ଆଜି ତାଲିକା ପ୍ରଦାନ କରାଯାଇଛି।