ଦେଶର ‘ପଦ୍ମଶ୍ରୀ’, ହେଲେ ଦୁର୍ଦ୍ଦଶାରେ ବିତୁଛି ଦିନ । ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି ଓଡ଼ିଶାର ଗୌରବ ।  

ସରକାର ସହାୟତା କହିଲେ, ଇନ୍ଦିରା ଆବାସ ଘର ଓ କିଛି ଟଙ୍କାର ପେନସନ୍, ଉଠିଲା ପ୍ରଶ୍ନ, ବାସ୍ତବ ଜୀବନରେ ପରିବର୍ତନ ଆଣେ କି ‘ପଦ୍ମଶ୍ରୀ’ ।

148

କନକ ବ୍ୟୁରୋ: ‘ପଦ୍ମଶ୍ରୀ’ ପୁରସ୍କାର ପାଇଥିବା ଓଡ଼ିଶାର ଅମୂଲ୍ୟ ପ୍ରତିଭାଙ୍କ ସଂପର୍କରେ ଏଭଳି ତମାମ୍ ଖବର ଆପଣଙ୍କ ନଜରକୁ ଆସିଥିବ । ସିଏ କୋଶଳୀ କବି ହଳଧର ନାଗ୍ ହୁଅନ୍ତୁ, ବା ଓଡ଼ିଶାର ମାଉଣ୍ଟେନ୍ ମ୍ୟାନ୍ ଦୈତାରୀ ନାଏକ । ଜିତେନ୍ଦ୍ରୀୟ ହରପାଲ କଥା କୁହନ୍ତୁ ବା କମଳା ପୂଜାରୀଙ୍କ କଥା । ପ୍ରତିଭା ପାଇଁ ପୁରସ୍କାର ସିନା ମିଳିଲା, ହେଲେ ପଦ୍ମ ପୁରସ୍କାର ଏମାନଙ୍କ ଜୀବନରେ କ’ଣ ପରିବର୍ତନ ଆଣିଛି ନିଜର ଦୁଖଃଦ ଭରା ଜୀବନ ଯାପନକୁ ବଖାଣିଛନ୍ତି ଏହି ୪ଜଣ ପଦ୍ମଶ୍ରୀ ବିଜେତା ।

ପଦ୍ମଶ୍ରୀ ଦୈତାରୀ ନାଏକ, ମାଉଣ୍ଟେନ୍ ମ୍ୟାନ୍ 

‘ପଦ୍ମଶ୍ରୀ’ ପୁରସ୍କାର ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଦୈତାରୀ ନାୟକଙ୍କ ଘରକୁ ଦେଖନ୍ତୁ । ଛେଳି ଗୁହାଳରେ ଟଙ୍ଗା ହୋଇଛି ପଦ୍ମଶ୍ରୀ ପୁରସ୍କାର । ସରକାରଙ୍କ ପକ୍ଷରୁ ମିଳିଥିବା ଗୃହ, ଅଧାଗଢ଼ା ହୋଇ ରହିଥିବାରୁ ଚାଳଛପର ଘରେ ବିତୁଛି ପଦ୍ମଶ୍ରୀଙ୍କ ଜୀବନ । ଆଉ କାମ ମିଳୁନଥିବାରୁ ଦୈତାରୀ, ପତ୍ନୀଙ୍କ ସହ ମିଶି ବଜାରରେ ବିକୁଛନ୍ତି ଆମ୍ବସଢ଼ା ଓ ଖଲିପତ୍ର ।

ପଦ୍ମଶ୍ରୀ ହଳଧର ନାଗ୍, କୋଶଳୀ କବି

ପୁରସ୍କାର ଓ ମାନପତ୍ରରେ ଭର୍ତି ହୋଇ ରହିଛି  ପଦ୍ମଶ୍ରୀ ହଳଧର ନାଗଙ୍କ ଏହି ଛୋଟିଆ ଘର । କିଏ ଆସିଲେ ଗର୍ବର ସହ ଦେଖାଉଛନ୍ତି ପଦ୍ମଶ୍ରୀ ଫଳକ । ହେଲେ ଚଳିବା ପାଇଁ ତାଙ୍କୁ ମଜୁରୀ କରିବାକୁ ପଡୁଛି । ଏମିତି କି ରଥଯାତ୍ରାରେ ସେ ଘୁଘୁନି ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି ।

ପଦ୍ମଶ୍ରୀ କମଳା ପୂଜାରୀ, ଚାଷୀ

ବିଲୁପ୍ତ ପ୍ରାୟ ଦେଶୀ ବିହନ ଧାନକୁ ସଂଗ୍ରହ କରି ଚାଷ କରୁଥିବା କୋରାପୁଟର କମଳା ପୂଜାରୀଙ୍କ ଘର ଦେଖିଲେ ଯେ, କେହି କହିପାରିବ ପଦ୍ମଶ୍ରୀ ପୁରସ୍କାର ତାଙ୍କ ଜୀବନରେ ସେଭଳି କିଛି ପରିବର୍ତନ ଆଣିନାହିଁ । ପୁଅକୁ ପ୍ରଧାନମନ୍ତ୍ରୀ ଆବାସ ଏବଂ କମଳାଙ୍କୁ ୫ଶହ ଟଙ୍କାର ମାସିକ ଭତାକୁ ଛାଡି ଦେଲେ, କମଳାଙ୍କ ଜୀବନରେ କିଛି ବି ପରିବର୍ତନ ଆସିନି ।

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରପାଲ, ଗାୟକ

କୁଡିଆ ଘରେ ରୁହନ୍ତି ପଦ୍ମଶ୍ରୀଙ୍କ ଜିତେନ୍ଦ୍ରୟ ହରପାଲଙ୍କ ପୁରା ପରିବାର । ଘରେ ଟାଙ୍ଗିବାକୁ ଜାଗା ନଥିବାରୁ ଆଜି ବି ଡବାରେ ପଶି ରହିଛି ପଦ୍ମଶ୍ରୀ ମାନପତ୍ର । ଆଉ ପରିଣତ ବୟସରେ ବି ସ୍ୱାଭିମାନର ସହ ବଂଚିବା ପାଇଁ ଲୋକଗୀତ ଗାଇ ଲୋକଙ୍କ ମନୋରଂଜନ କରୁଛନ୍ତି । ସେଥିରୁ ମିଳୁଥିବା ଅର୍ଥରେ ସ୍ତ୍ରୀ, ଦୁଇ ପୁଅ ଦୁଇ ବୋହୂ ନାତି ନାତୁଣିଙ୍କ ମୁହଁରେ ଆହାର ଦେଉଛନ୍ତି । ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ବଡ ପୁଅ ଭଡାରେ ଅଟୋ ଚଳାନ୍ତି । ମଝିଆ ପୁଅ ୨୦୧୦ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ସାନ ପୁଅ ୨୦୧୫ରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ଭିନ୍ନକ୍ଷମ ।