କନକ ବ୍ୟୁରୋ: ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ଚଳାଇଥିବା ଆନ୍ଦୋଳନକୁ ୭୨ ଘଂଟା ପାଇଁ ସ୍ଥଗିତ ରଖିଥିଲା । ଏହି ସମୟ ଭିତରେ ସମସ୍ତ ମଣ୍ଡିରେ ଧାନ ଉଠାଇବା ପାଇଁ ସରକାରଙ୍କୁ ଦେଇଥିଲା ଡେଡ୍ ଲାଇନ୍ । ଏହି କଣ୍ଟ ପୁରିବା ପରେ ଦଳର ଆଗାମୀ ରଣନୀତି କ’ଣ ହେବ ସେନେଇ ନିଷ୍ପତ୍ତି କରିବେ ପଶ୍ଚିମ ଓଡ଼ିଶାର ନେତା । ଅପରାହ୍ନ ୫ଟାରେ ୫ଟି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୩୭ଟି ବିଧାନସଭା କ୍ଷେତ୍ରର ନେତା ବୈଠକ କରି ଆଗାମୀ ରଣନୀତି ସ୍ଥିର କରିବେ ।

Advertisment

ସେପଟେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସଭାପତି ମଣ୍ଡିରୁ ଧାନ ଉଠାଇବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସମୀର ମହାନ୍ତି କହିଛନ୍ତି, ସରକାର ମଣ୍ଡିରୁ ଧାନ ଉଠାଇ ଚାଷୀଙ୍କୁ ଆଶ୍ୱସ୍ତି କରନ୍ତୁ । ମୋଦି ସରକାର ୧୮ ଶହ ୬୮ ଟଙ୍କା ଦେଉଥିବା ବେଳେ ଏଠି କାହା ନିର୍ଦ୍ଦେଶରେ କଟନି ଛଟନି ହେଉଥିବା ସେ ପ୍ରଶ୍ନ କରିଛନ୍ତି ।  କାଳିଆ ଯୋଜନାରେ କେତେ ଚାଷୀ ଲାଭ ପାଉଛନ୍ତି ବୋଲି ମଧ୍ୟ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।  ସେହିଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ  ପ୍ରଥମ କିସ୍ତିରେ ୩୮ ଲକ୍ଷ ତାଲିକା ରାଜ୍ୟ ସରକାର ଦେଇଥିଲେ ଏବେ ଏହା ୯ ଲକ୍ଷକୁ କେମିତି ଆସିଲା ବୋଲି ପ୍ରଶ୍ନ କରିଛି ବିଜେପି । ଏଥି ସହ କାଳିଆ ଯୋଜନା ପାଇଁ ଅର୍ଥ ନଥିବାରୁ  ସରକାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରୁଥିଲେ, ଏବେ କାହିଁକି ଧାନ କିଣିବାକୁ ସେହି ଫଣ୍ଡକୁ ସରକାର ବ୍ୟବହାର କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  ।

ସେପଟେ ରାଜ୍ୟରେ ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଗତ ବର୍ଷ ତୁଳନାରେ ଏବେ ସୁଦ୍ଧା ୨୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ଟାର୍ଗେଟ ପୂରଣ ହେବ । ବର୍ତ୍ତର୍ମାନ ସୁଦ୍ଧା ମୋଟ ୪୦ ଲକ୍ଷ ୬୬ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି ।  ଯେଉଁମାନେ ଆନ୍ଦୋଳନ କରୁଛନ୍ତି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଚାଷୀଙ୍କୁ ସମ୍ମାନ ଦେଉଛୁ ହେଲେ ମଧ୍ୟସ୍ଥିକୁ ନୁହେଁ  ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।