ରାଜ୍ୟରେ ଆଜି ଠାରୁ ୧୦ ଦିନ ଜାରି ରହିବ ସ୍ୱତନ୍ତ୍ର ଅଭିଯାନ : ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରାଥମିକ ଆଲୋଚନା

231

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖମନ୍ତ୍ରୀ । ସମୀକ୍ଷା ବେଳେ ଫୋକସରେ ରହିଛି ପଶ୍ଚିମ ଓଡିଶା । ପଡୋଶୀ ଛତିଶଗଡ ଯୋଗୁଁ ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ମୁକାବିଲା ଲାଗି ତୁରନ୍ତ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଲ୍ୟାବ ଟେକନିସିଆନ ସହ ଆବଶ୍ୟକୀୟ ମ୍ୟାନପାୱାର ରଖିବାକୁ ବି କୁହାଯାଇଛି । ପଶ୍ଚିମ ଓଡିଶାରେ ସଂକ୍ରମଣ ବଢୁଥିବା ଡାକ୍ତରଖାନା ବି ପ୍ରସ୍ତୁତ ରଖିବାକୁ ମୁଖ୍ୟନନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟଧିକ ସଂକ୍ରମଣ ହୋଇଥିବା ଅଂଚଳଗୁଡିକରେ ଡାକ୍ତରଖାନାଗୁଡିକୁ ପ୍ରସ୍ତୁତ ରଖିବା ସହ ଆମ୍ବୁଲାନ୍ସ, ଅମ୍ଲଜାନ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସ ଓ ହସପିଟାଲରେ ବେଡ ଉପଲବ୍ଧ ନ ହେବା ନେଇ କୌଣସି ଅଭିଯୋଗକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

କୋଭିଡ ପାଇଁ ଥିବା କଟକଣାକୁ ମାନିବା ଓ ରାଜ୍ୟରେ ପୁଲିସ ମୁତୟନ କରି ସଚେତନ କରିବାକୁ ୧୦ ଦିନ ଯାଏଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ । ଆଜି ଠାରୁ ଏହି ଅଭିଯାନ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ବର୍ତମାନ ସ୍ଥିତିକୁ ଯଦି ଆମେ ଗୁରୁତର ସହ ନେବା ନାହିଁ ତାହାହେଲେ ସ୍ଥିତି ଆଗକୁ ଭୟଙ୍କର ହେବ । ବିଭିନ୍ନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢିଚାଲିଛି । ଆମ ରାଜ୍ୟରେ ବି ସଂକ୍ରମଣ ବଢୁଛି । ପ୍ରଥମ ପର୍ଯ୍ୟାୟ କରୋନାକୁ ଓଡିଶା ଦୃଢତାର ସହ ମୁକାବିଲା କରିଥିଲା , ସମସ୍ତେ ନିୟମ ମାନିଲେ ଦ୍ୱିତୀୟ ପର୍ଯ୍ୟାୟ ଲଢେଇରେ ବି ଓଡିଶା ଜିତିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଶନିବାର ରବିବାର ମନ୍ଦିରକୁ ବନ୍ଦ କରିବା ପାଇଁ ଆଲୋଚନା ହୋଇଛି । ସମୀକ୍ଷା ବୈଠକରେ ତୃଣମୂଳ ସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।