ଓଡ଼ିଶାକୁ ଆସିବ ୫୦୦୦ ପାଉଚ୍ ୨-ଡିଜି ଔଷଧ । କରୋନା ଆକ୍ରାନ୍ତଙ୍କ ପାଇଁ ବେଶ ଚମତ୍କାରୀ ଏହି ଦେଶୀ ଔଷଧ, ପ୍ରସ୍ତୁତ କରିଛି ଡିଆରଡିଓ । ଜାଣନ୍ତୁ ଗୋଟିଏ ପାଉଚର ଦାମ କେତେ?

287

କନକ ବ୍ୟୁରୋ : ଓଡ଼ିଶାକୁ ଆସିବ ୫ହଜାର ପାଉଚ୍ ଟୁ-ଡିଜି ଔଷଧ । ସାମାନ୍ୟରୁ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖାଯାଉଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଦେଶୀ ଔଷଧ ବେଶ ପ୍ରଭାବି ହୋଇଥିବା ବେଳେ, ଓଡ଼ିଶା ସରକାର ଏହି ଔଷଧ ମଗାଇଛନ୍ତି । ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ୨-ଡିଜିର ଗତକାଲି ମୂଲ୍ୟ ଘୋଷଣା ହୋଇଥିଲା । ଔଷଧ ଉତ୍ପାଦନ କରୁଥିବା ଡକ୍ଟର ରେଡିସ କମ୍ପାନି, ଗୋଟିଏ ପାଉଚ୍ର ଦାମ ୯୯୦ ଟଙ୍କା ସ୍ଥିର କରିଛି । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସରକାରୀ ହସ୍ପିଟାଲଗୁଡିକୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯିବ ବୋଲି କମ୍ପାନି କହିଛି ।

ଜୁନ ମଧ୍ୟ ଭାଗରେ ଏହାର ବ୍ୟବାସିୟକ ଲଞ୍ଚ କରାଯିବ । ଭାରତୀୟ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଡିଆରଡିଓ ଏବଂ ହାଇଦ୍ରାବାଦସ୍ଥିତ ଡକ୍ଟର ରେଡିସ ଲାବୋରେଟୋରୀ ପକ୍ଷରୁ ଏହି ଔଷଧକୁ ପ୍ରସ୍ତୁତ କରାଯାଇଛି । ଏହା ପାଉଡର ଆକାରରେ ପାଉଚରେ ଉପଲବ୍ଧ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ଖାଇବା ପାଇଁ ଦିଆଯାଉଛି । ଭାରତୀୟ ଔଷଧ ନିୟନ୍ତ୍ରକ ଡିଜିସିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାପରେ ଗତ ମେ ୧୭ ତାରିଖରେ ଏହି ଔଷଧର ଶୁଭାରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।