କନକ ବ୍ୟୁରୋ : ଦୀର୍ଘ ୨ବର୍ଷ ପରେ ସ୍କୁଲରେ ସିଧାସଳଖ ବସି ପାଠପଢ଼ିବେ ଛୋଟଛୋଟ ପିଲା । ତୃତୀୟ ଲହର ତଳମୁହାଁ ହେବା ପରେ ସରକାର ଛୋଟ ପିଲାଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ତାରିଖ ବି ଘୋଷଣା ହୋଇଛି । କିନ୍ତୁ ଦୀର୍ଘ ଦିନ ପରେ ପିଲା ସ୍କୁଲକୁ ଫେରିବାକୁ ଯାଉଥିବାରୁ ସେମାନଙ୍କ ଉପରେ ଚାପ ନପକାଇବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
୨୮ ତାରିଖରୁ ସ୍କୁଲ ଆସିବେ ଛୋଟପିଲା । ଦୁଇ ବର୍ଷ ପରେ ସ୍କୁଲରେ ପଢ଼ିବେ ପାଠ । ଅଷ୍ଟମ ଓ ଏହାର ଉପର ଶ୍ରେଣୀ ଖୋଲିଥିବା ବେଳେ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଆସିବେ ଓ ପାଠପଢ଼ା ଆରମ୍ଭ ହେବ । ପୂର୍ବରୁ ୧୪ ତାରିଖରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା । ତେବେ ଜିଲ୍ଲାପାଳମାନେ ଏଥିଲାଗି ଅଧିକ ସମୟ ମାଗିଥିବାରୁ ନିଷ୍ପତି ପରିବର୍ତନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ସ୍କୁଲ ପରିବେଶ ସଫା କରିବା ଏବଂ କିଛି ସ୍ଥାନରେ ସ୍କୁଲ ଗୃହର ମରାମତି ଆବଶ୍ୟକତା ଥିବାରୁ ଅଧିକ ସମୟ ମାଗିଛନ୍ତି ଜିଲ୍ଲାପାଳ ।
୨୦୧୯ ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ କରି ଦିଆଯାଇଥିଲା । ମଝିରେ ବଡ଼ ପିଲାଙ୍କ ସ୍କୁଲ ଅଳ୍ପ କିଛି ଦିନ ପାଇଁ ଖୋଲିଥିବା ବେଳେ ଛୋଟ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିଥିଲା । ଏତେ ଦିନ ପରେ ପିଲାଙ୍କ ସ୍କୁଲ ଖୋଲୁଥିବାରୁ ଅଭିଭାବକଙ୍କ ଠାରୁ ଆରମ୍ଭ କରି ସ୍କୁଲ କର୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।
ଅଭିଭାବକ ମହାସଂଘର ପରାମର୍ଶ
ପିଲାଙ୍କୁ ହଠାତ୍ ପାଠପଢ଼ା ଓ ପରୀକ୍ଷାର ଚାପ ଦିଆନଯାଉ
ଚାପଗ୍ରସ୍ତ ହେଲେ ସେମାନଙ୍କ ଉପରେ କୁପ୍ରଭାବ ପଡ଼ିବ
ସ୍କୁଲ ଯିବାକୁ ପିଲାମାନେ ଭୟଭୀତ ହୋଇପାରନ୍ତି
୨ ମାସ ପାଠପଢ଼ା ହେଉ, ପରେ ପରୀକ୍ଷା କରାଯାଉ
ଉଭୟ ଇଂରାଜୀ ଓ ଓଡ଼ିଆ ମିଡିୟମ ପାଇଁ ଏକ ସମୟରେ ଶିକ୍ଷାବର୍ଷ ଆରମ୍ଭ ହେଉ
ପିଲାମାନେ ଯେପରି ଚାପଗସ୍ତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି । ଦୀର୍ଘଦିନ ଧରି ସ୍କୁଲ ଯାଇନଥିବାରୁ ପିଲାମାନେ କିପରି ସ୍କୁଲ ଯାଇ ନିରାପଦରେ ପାଠ ପଢ଼ିବେ, ଏ ନେଇ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିଲାଙ୍କୁ ସ୍କୁଲ ଛାଡିବାକୁ ନିବେଦନ କରିଥିଲେ । ବିଶେଷଜ୍ଞମାନେ ମଧ୍ୟ ପିଲାମାନେ ସ୍କୁଲ ଯିବାରେ ବିଶେଷ ସମସ୍ୟା ହେବନାହିଁ ବୋଲି ଆଶ୍ୱାସନା ଦେଇ ଆସୁଛନ୍ତି ।