ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଛି ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା : ଏହି ଅନଲାଇନ ପରୀକ୍ଷା ଆଜିଠାରୁ ଅକ୍ଟୋବର ୧୦ ଯାଏ ଚାଲିବ, ଅକ୍ଟୋବର ୨୦ରେ ପ୍ରକାଶପାଇବ ଫଳ  

235
କନକ ବ୍ୟୁରୋ : ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ଆଜିଠାରୁ ଆରମ୍ଭ ହୋଇଛି । ଉଚ୍ଚନ୍ୟାୟାଳୟ ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଡିଗ୍ରୀ ପ୍ରଦାନ ନିମନ୍ତେ ଚାଲିଥିବା ଏହି ପରୀକ୍ଷା ସଂପର୍କିତ ଏକ ମାମଲାରେ ପ୍ରଦତ୍ତ ରାୟ ଓ ଓଡିଶା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୦ ତାରିଖରେ ଶେଷ ହେବ । ନିର୍ଦ୍ଧେଶାବଳୀ ମୁତାବକ ଓସୁ ପକ୍ଷରୁ ଅନଲାଇନ ମାଧ୍ୟମରେ ପରୀକ୍ଷା କରାଯାଉଛି ।  ଓସୁର ବିଭିନ୍ନ ପାଠ୍ୟକ୍ରମରେ ୧,୬୪୦ ଜଣ ପରୀକ୍ଷାର୍ଥୀ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି । ଶିକ୍ଷାର୍ଥୀମାନେ ଡେସ୍କଟପ୍, ଲାପଟପ୍, ଓ ସ୍ମାର୍ଟଫୋନ ମାଧ୍ୟମରେ ଏହି ପରୀକ୍ଷା ଦେଉଛନ୍ତି ।
ମୋଟ ଶୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୧,୨୨୫ଜଣ ଗ୍ରାମାଞ୍ଚଳରୁ ଥିବା ବେଳେ ୨୪ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ଅଛନ୍ତି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଯଥା ହଲଟିକେଟ୍, ମକଟେଷ୍ଟ,ବା ପ୍ରତୀକାତ୍ମକ ପରୀକ୍ଷା ନିମନ୍ତେ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ଅଲଗା ଅଲଗା ଆଇଡି ଓ ପାସୱାର୍ଡ ପ୍ରଦାନ କରାଯାଇଛି ।  ମୋଟ ୧୨୮ଟି ପାଠ୍ୟକ୍ରମ ସହିତ  ମୋଟ ୧୧ ଟି ସ୍ନାତକୋତ୍ତର ବିଷୟ ପାଇଁ ଏହି ଅନଲାଇନ ପରୀକ୍ଷା ଆୟୋଜିତ ହୋଇଛି । ଏହି ପରୀକ୍ଷା ମୋଟ ୧୬ ଦିନ ପାଇଁ ଚାଲିବାକୁ ଥିବା ବେଳେ ଦୈନିକ ୩ ଟି ସିଟିଂରେ ପରୀକ୍ଷା ହେବ । ଏହାସହ ଦୈନିକ ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହେବ ।
ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନଙ୍କ ଠାରୁ କୌଣସି ଦେୟ ଆଦାୟ କରାଯାଇନାହିଁ । ଓସୁ ଅଧିନରେ ଥିବା ମୋଟ ୭୦ ଟି ଶିକ୍ଷାଦାନ କେନ୍ଦ୍ରର ସଂଯୋଜକ ଓ ୫ ଟି ଆଞ୍ଚଳିକ କେନ୍ଦ୍ରର ଅଧିକାରୀଙ୍କୁ ଏହି ପରୀକ୍ଷା ସଂପର୍କିତ ସମସ୍ତ ବ୍ୟବସ୍ଥା ଓ ପରିଚାଳନାରେ ସହାୟତା କରିବାକୁ ଆବଶ୍ୟକ ସୂଚନା ଓ ପରାମର୍ଶ ଦିଆଯାଇଛି । ଏଥି ସହିତ ଓସୁ ପକ୍ଷରୁ ଅକ୍ଟୋବର ୨୦ ସୁଦ୍ଧା ପରୀକ୍ଷାଫଳ ପ୍ରକାଶନର ବ୍ୟବସ୍ଥା କରାଯାଇଛି । ଯାହାଫଳରେ ପରୀକ୍ଷାର୍ଥୀ ମାନେ ରାଜ୍ୟ ଓ ରାଜ୍ୟ ବାହାରେ ଉଚ୍ଚତର ଶିକ୍ଷାଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପାଇବେ ।