ପକେଟ୍ ଉପରେ ପିଆଜ ମାଡ଼ । ରାଜ୍ୟର ବିଭିନ୍ନ ସ୍ଥାନରେ ୪୫ରୁ ୬୫ ଟଙ୍କା ଯାଏଁ ବିକ୍ରି ହେଉଛି କିଲେ ପିଆଜ । ବ୍ୟବସାୟୀ ସଂଘ କହିଲା, ଆମଦାନୀ ହୋଇଛି ପ୍ରଭାବିତ, ଦର ଉପରେ ବଢୁଛି ଦର ।

575

କନକ ବ୍ୟୁରୋ : କିଛି ଦିନ ତଳେ ୨୦ରୁ ୨୫ ଟଙ୍କାରେ ମିଳୁଥିବା ପିଆଜ ଏବେ ଅନେକ ସ୍ଥାନରେ ୫୦ ଟପିଗଲାଣି । ଆଗକୁ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରୁଛନ୍ତି । ମହାରାଷ୍ଟ୍ରର ନାସିକରେ ଅଘୋଷିତ ଭାବେ ପିଆଜ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି ।

ଖାଉଟି ପକେଟକୁ ପିଆଜ ମାଡ । ହୁ ହୁ ବଢୁଛି ପିଆଜ ଦର । ରାଜ୍ୟରେ ବଢିଚାଲିଛି ପରିବା ଦର । ସେଥିରେ ପିଆଜ ଦର ଏବେ ବେଲଗାମ ହୋଇଛି । ରାଜ୍ୟର କେତେକ ପ୍ରମୁଖ ସ୍ଥାନର ପିଆଜ ଦର ଉପରେ ନଜର ପକାଇବା ।

ସ୍ଥାନ                   କିଲୋ ପ୍ରତି ଦର
ଭୁବନେଶ୍ୱର             ୬୫ ଟଙ୍କା
କଟକ                   ୫୦ ଟଙ୍କା
ପୁରୀ                    ୫୦ ଟଙ୍କା
ଖୋର୍ଦ୍ଧା                  ୫୦ ଟଙ୍କା
ବଲାଙ୍ଗିର                ୫୦ଟଙ୍କା
ସମ୍ବଲପୁର              ୪୫ ଟଙ୍କା
ପିଆଜର ଏହି ଦର ଏବେ ଖାଉଟିଙ୍କ ଚିନ୍ତା ବଢାଇଛି ।

କାହିଁକି ବଢିଛି ପିଆଜ ଦର ? କେବେ ନିୟନ୍ତ୍ରଣରେ ଆସିବ ଦରବୃଦ୍ଧି ? ଏସବୁ ପ୍ରଶ୍ନର ଉତ୍ତର ବି ଅସ୍ପଷ୍ଟ । ତଥାପି ରାଜ୍ୟ ମୁଖ୍ୟତଃ ମହାରାଷ୍ଟ୍ରର ନାସିକ, ଆନ୍ଧ୍ର ପ୍ରଦେଶର କୁର୍ନୁଲ ଓ କର୍ଣ୍ଣାଟକ ବାଙ୍ଗାଲୁରୁ ଉପରେ ନିର୍ଭର କରୁଥିବା ବେଳେ ଏସବୁ ସ୍ଥାନରୁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଏହାର ପ୍ରଭାବ ରାଜ୍ୟର ପିଆଜ ବଜାର ଉପରେ ପଡିଥିବା କୁହାଯାଉଛି । ଦରବୃଦ୍ଧି ନେଇ ସରକାରୀ ସ୍ତରରେ ଏକ ନିର୍ଦ୍ଦିଷ୍ଟ ରଣନୀତି ଆବଶ୍ୟକ ରହିଛି । ନଚେତ କରୋନାକୁ ନେଇ ଚିନ୍ତାରେ ଦିନ କାଟୁଥିବା ସାଧାରଣ ଲୋକ ଦରବୃଦ୍ଧିର ଚାପରେ ବେହାଲ ହେବା ସାର ।