ଜୁନ୍ ୧୭ରୁ ଓଜେଇଇ ପରୀକ୍ଷା : ଜୁନ୍ ପ୍ରଥମ ସପ୍ତାହରୁ ମିଳିବ ଆଡମିଟ କାର୍ଡ

147

କନକ ବ୍ୟୁରୋ : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌.ଆର୍କିଟେକ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍‌ ୧୭ରୁ ୨୪ମଧ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୧ ଅନୁଷ୍ଠିତ ହେବ । କମ୍ପ୍ୟୁଟର୍‌ ବେସଡ୍‌ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ଆଗ୍ରହୀ ଛାତ୍ରଛାତ୍ରୀ ମେ’ ୧୫ ପର୍ଯ୍ୟନ୍ତ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ସମୟରେ ଇନ୍‌ଫରମେସନ୍‌ ବ୍ରୋଚର୍‌ ଓ ଅନ୍‌ଲାଇନ୍‌ ଆବେଦନ ଫର୍ମକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଯୋଗ୍ୟତା, ଆବେଦନର ନିୟମାବଳୀ, ସଂରକ୍ଷଣ ବ୍ୟବସ୍ଥା, ପରୀକ୍ଷା ପ୍ରଣାଳୀ, ସିଲାବସ୍‌ ଆଦି ସମ୍ପର୍କରେ ଜାଣିବା ଲାଗି ଛାତ୍ରଛାତ୍ରୀ ‌ନିୟମିତ ଭାବେ ଓଜେଇଇ ୱେବସାଇଟ୍‌ ଦେଖିବାକୁ କୁହାଯାଇଛି ।

ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ । ତେବେ ସେମାନେ ଘରୋଇ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ । ପରୀକ୍ଷା ଲାଗି ଜୁନ୍‌ ପ୍ରଥମ ସପ୍ତାହରେ ଓଜେଇଇ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ ଏବଂ ପରୀକ୍ଷାର୍ଥୀ ଡାଉନ୍‌ଲୋଡ୍‌ କରିପାରିବେ । ଏହାବ୍ୟତୀତ ସରକାରୀ ଓ ଘରୋଇ କଲେଜର ବି.ଟେକ୍‌, ଏମ୍‌ବିବିଏସ୍‌/ବିଡିଏସ୍‌/ବିଏଏମ୍‌ଏସ୍‌/ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ଏନ୍‌ଟିଏ ଦ୍ବାରା ଆୟୋଜିତ ଜେଇଇ ମେନ୍‌/ନିଟ୍‌ ଦେବାକୁ ପଡ଼ିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।