ନଭେମ୍ବର ମାସ କୋଭିଡ୍ ଗାଇଡଲାଇନ୍ : ସହରାଞ୍ଚଳରେ ବଳବତ୍ତର ରହିଲା ନାଇଟ୍ କର୍ଫ୍ୟୁ

ଉତ୍ସବ ଓ ପର୍ବପର୍ବାଣୀ ପାଇଁ ଜାରି ରହିବ ଅଗଷ୍ଟ ମାର୍ଗଦର୍ଶିକା

827

କନକ ବ୍ୟୁରୋ : ନଭେମ୍ବର ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ଯାହା ଯାହା କଟକଣା ଥିଲା, ସେସବୁକୁ ବଳବତ୍ତର ରଖିଛନ୍ତି । ନଭେମ୍ବର ମାସ ପାଇଁ କଟକଣା ବଢ଼ାଯାଇ ନାହିଁ କି ପୂର୍ବ କଟକଣାରେ କୋହଳ କରାଯାଇନି । ସେହିପରି କିଛି କଟକଣାରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରିବାକୁ ଚେଷ୍ଟା କରାଯାଇ ନାହିଁ । ଦୀପାବଳି ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ରାଜ୍ୟର ସବୁ ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଭୋର୍ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ପ୍ରକାର ଦୋକାନ, ମଲ୍ ଖୋଲିପାରିବ । କୌଣସି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ହେବ ନାହିଁ । ସବୁ ପ୍ରକାର ଧାର୍ମିକ ପୂଜା, ଉତ୍ସବ ପୂର୍ବରୁ ଜାରି କରାଯାଇଥିବା କଟକଣା ମଧ୍ୟରେ ପାଳନ କରାଯିବ । ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନେ ସ୍ଥାନୀୟ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଇପାରିବେ। ଧାର୍ମିକ ରୀତିନୀତିରେ କେତେ ଜଣ ଉପସ୍ଥିତ ରହିବେ, ତାହା ମଧ୍ୟ ଜିଲ୍ଲାପାଳ/ମହାନଗର ନିଗମ କମିସନରମାନେ ସ୍ଥିର କରିବେ ।

ସେପ୍ଟେମ୍ବର ମାସ ପାଇଁ ଯେଉଁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା, ନଭେମ୍ବର ପାଇଁ ତାହା ଅପରବର୍ତ୍ତିତ ରହିବ ବୋଲି କୁହାଯାଇଛି । ତେଣୁ ନଭେମ୍ବରରେ ମଧ୍ୟ କୌଣସି ପ୍ରକାର ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତି ହେବ ନାହିଁ । ତେବେ ଅଡିଟୋରିୟମ୍, ସମ୍ମିଳନୀ କକ୍ଷ ଆଦି ଖୋଲା ରହିବ । କେବଳ ସରକାରୀ ସଭାସମିତିକୁ ଅନୁମତି ମିଳିବ । ସରକାର ଦ୍ବିତୀୟ ଲହର ପରେ ରାଜନୈତିକ ସମାବେଶକୁ ବାରଣ କରିଥିଲେ ମଧ୍ୟ ସବୁ ଦଳର ବଡ଼ ଧରଣର ସମାବେଶ, ବିକ୍ଷୋଭ, ଧାରଣା ଜାରି ରହିଛି । କିନ୍ତୁ କୋଭିଡ୍ ଆଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇ କଳାକାରଙ୍କ ପେଟରେ ଲାତ ମରାଯାଉଛି । ରାଜନୈତିକ କାର୍ଯ୍ୟକ୍ରମକୁ ଖୋଲା ଛାଡ଼ି ଦେଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କାହିଁକି ବାରଣ କରୁଛନ୍ତି ତାହା ବୁଝାପଡ଼ୁ ନାହିଁ ।

ସେହିପରି ଯାତ୍ରା ମଞ୍ଚକୁ ମଧ୍ୟ ସରକାର ପୂର୍ବ ମାସରୁ ଅନୁମତି ଦେଇଛନ୍ତି । କିନ୍ତୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିଥିବାରୁ ଯାତ୍ରା ପରିବେଷଣ କିପରି ସମ୍ଭବ ହେବ, ତାହା ଜଣାପଡ଼ୁ ନାହିଁ । ରାଜନୈତିକ ସମାବେଶରେ ହଜାର ହଜାର ଲୋକ ବିନା ସାମାଜିକ ଦୂରତା ଓ ମାସ୍କରେ ଏକାଠି ହେଉଥିଲା ବେଳେ ବାହାଘର, ବ୍ରତଘର ପରି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫୦ ଲୋକଙ୍କୁ ଅନୁମତି ଦେବା ମଧ୍ୟ ଆଉ ଏକ ରହସ୍ୟଜନକ ପ୍ରସଙ୍ଗ । ଏହା ଦ୍ବାରା ଟେଣ୍ଟ୍, କ୍ୟାଟରିଂ ସଂସ୍ଥାଗୁଡ଼ିକ ପ୍ରଭାବିତ ହେଉଥିଲେ ବି ସରକାର ସେଥି ପ୍ରତି ନଜର ଦେଉନାହାନ୍ତି । ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଥିବା ଦ୍ବନ୍ଦ୍ବକୁ ନେଇ ବାରମ୍ବାର ବିଭିନ୍ନ ମହଲରୁ ପ୍ରତିବାଦ ଉଠୁଥିଲେ ବି ତାହାକୁ ଦୂର କରିବା ପାଇଁ କେହି ଉଚିତ ନ ମଣିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି ।