କନକ ବ୍ୟୁରୋ: ଓଡ଼ିଆ ଜାତିର ସ୍ବାଭିମାନ, କଳାଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମଗ୍ର ଭାରତବର୍ଷକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ବାସ୍ତବ ସ୍ଥିତିକୁ ନେଇ ସମସ୍ତଙ୍କ ଭାବନା ଓ ଉଦ୍‌ବେଗ ଏକ। କିନ୍ତୁ ଇଚ୍ଛାଶକ୍ତିର ଅଭାବ ପାଇଁ ଏହି ପ୍ରାଚୀନ କୀର୍ତିରାଜିର ଉପଯୁକ୍ତ ସଂରକ୍ଷଣ କରାଯାଇ ପାରୁନାହିଁ। କୋଣାର୍କରେ ଚାଲିଥିବା ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ।

Advertisment

ମନ୍ତ୍ରୀ କୋଣାର୍କ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ି କହିଛନ୍ତି, ମନ୍ଦିରର ସରଂକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆଇର। ଓଡ଼ିଶା, ଓଡ଼ିଶା ବାହାରେ ଏକାଧିକ ପ୍ରାଚୀନ କୀର୍ତିରାଜିର ସଂରକ୍ଷଣ ଓ ନବକଳେବର କରିବାରେ ସମର୍ଥ ହୋଇଛି ଏଏସ୍ଆଇ। ତେବେ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ସମୟୋପଯୋଗୀ ପଦକ୍ଷେପ କଣ ପାଇଁ ନେଉନାହିଁ? ସୂର୍ଯ୍ୟମନ୍ଦିରର ପୁନରୁଦ୍ଧାର ପାଇଁ ଏଏସଆଇ ଦୃଢ଼ ପଦକ୍ଷେପ ନେବା ଦରକାର। କା‌ମ୍ବୋଡିଆ ଓ ରତ୍ନଗିରି ଢାଞ୍ଚାରେ କୋଣାର୍କ ମନ୍ଦିର ସଂରକ୍ଷର ପାଇଁ ଏଏସ୍‌ଆଇ ପଦକ୍ଷେପ ନେଉ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ପ୍ରସ୍ତୁତ ରହିଛନ୍ତି। ଏବେ ସୂର୍ଯ୍ୟମନ୍ଦିରର ସ୍ଥିତିକୁ ଗମ୍ଭୀରତାର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଅସନ୍ତୋଷ ପରେ କୋଣାର୍କ ମନ୍ଦିରକୁ ନେଇ ଏଏସ୍‌ଆଇ କର୍ତୃପକ୍ଷ ଯେଭଳି ମନମାନି ଚଳାଇଥିବା ଅଭିଯୋଗ ଆସୁଥିଲା, ତାହାର ପର୍ଦାଫାସ ହୋଇଛି।

ବୈଠକରୁ ଜଣାପଡିଛି, ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସଆଇ ନେବା ପରଠାରୁ ଅଦ୍ୟାବଧି ୧୦୨ ବର୍ଷ ମଧ୍ୟରେ ୨୩ ଟି ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଏଥିରୁ ୦୧୦ରେ ହୋଇଥିବା ବିଶ୍ବ ବିଶେଷଜ୍ଞ କମିଟି ବୈଠକର ଗୁରୁତ୍ବ ସର୍ବାଧିକ। ମାତ୍ର ଏଥିରେ ହୋଇଥିବା ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ଏଏସଆଇ କାର୍ଯ୍ୟକାରୀ କରିନାହିଁ। ସିବିଆରଆଇର ଲେଜର ସ୍କାନିଂରୁ ମନ୍ଦିରର ବାଲି ୧୭ ଫୁଟ ଦବିଥିବା ନେଇ ରି ପୋର୍ଟ ଆସିଥିଲେ ମଧ୍ୟ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା ଏଏସଆଇ ପକ୍ଷରୁ କରାଯାଇନାହିଁ। ଲେଜର ସ୍କାନିଂରେ ମନ୍ଦିରର ମୁଖଶାଳାର ଦକ୍ଷଣପଶ୍ଚିମ ପଟ କାନ୍ଥ ଭିତର ପାର୍ଶ୍ବରେ ବିପଦସଂକୁଳ ଅବସ୍ଥାରେ ଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

୨୦୧୦ରୁ ଆଜି ମଧ୍ୟରେ ସିବିଆରଆଇ ଦୁଇଟି ପର୍ଯ୍ୟା‌ୟରେ ମନ୍ଦିର ସଂପର୍କରେ ରିପୋର୍ଟ ପ୍ରଦାନ କରିଛି। ହେଲେ ତାହା ପୁଣି ପୂର୍ଣ୍ଣାଙ୍ଗ ନୁହେଁ। ମନ୍ଦିରର ବାସ୍ତବସ୍ଥିତି ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ମନ୍ଦିର ଗର୍ଭଗୃହରୁ ବାଲି ଦବିବା ପ୍ରସଙ୍ଗ। ଏନେଇ ଆଜି ଉପସ୍ଥିତ ଅଧିକାରୀ, ବିଶେଷଜ୍ଞ , ରାଜନେତା ଓ ଗବେଷକମାନେ ଭିନ୍ନଭିନ୍ନ ମତ ଦେଇଥିଲେ। କେତେଜଣ ମନ୍ଦିରରୁ ବାଲି କାଢ଼ିବା ପ୍ରସଙ୍ଗକୁ ସମର୍ଥନ କରିଥିବା ସମୟରେ ଆଉ କେହିକେହି ମନ୍ଦିରର ଦବିଥିବା ବାଲିର ଖାଲିସ୍ଥାନ ପୂରଣ କରିବାକୁ ବାଲି ଭର୍ତି ପ୍ରସ୍ତାବ ଦେଇଥିଲେ। ଯାହାକୁ ନେଇ କଥା କଟାକଟି ହୋଇଥିଲା। ବରିଷ୍ଠ ଗବେଷକ ଅମିୟ ଭୂଷଣ ତ୍ରିପାଠୀ ଓ ଅନୀଲ ଦେଙ୍କ ବଳିଷ୍ଠ ଯୁକ୍ତି ଆଗରେ ଏଏସଆଇ କର୍ତୃପକ୍ଷଙ୍କ ପାଟି ଖନି ମାରି ଯାଇଥିଲା।