କେମିତି ଅଛି ଆରଟିଓ? ଟ୍ରାଫିକ ନିୟମ ୩ ମାସ କୋହଳ ହେବା ପରେ ଅଫିସ ଖାଲି, ଲୋକେ ବେଫିକର

ବଡ ପ୍ରଶ୍ନ: ସଜାଡି ହେବ କି ଭତିଭୂମି, ସରିବ କି କାମ?

2,051

କନକ ବ୍ୟୁରୋ: ଟ୍ରାଫିକ ନିୟମ ୩ ମାସ କୋହଳ ହେବା ପରେ କେମିତି ଅଛି ଆରଟିଓ । ଡିସେମ୍ବର ୧ରୁ ନୁଆ ମୋଟର ଯାନ ଆଇନ କଡାକଡି ହେବାକୁ ଥିବା ବେଳେ ଆରଟିଓ ଅଫିସରେ ଆବେଦନକାରୀଙ୍କ ଅସମ୍ଭାଳ ଭିଡ ଦେଖି ଆଉ ୩ ମାସ ନିୟମକୁ କୋହଳ କରିଛନ୍ତି ସରକାର । ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଦିନ ରାତି ଲୋକଙ୍କ ଭିଡ ଜମୁଥିବା ବେଳେ ନିୟମ କୋହଳ ହେବା ପରେ ଲୋକ ବେଫିକର ହୋଇଛନ୍ତି । ଆଉ ଖାଲି ଅଛି ଅଫିସ । ଯେଉଁ ମାତ୍ରାରେ ଆରଟିଓ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଜମୁଥିଲା , ଏଭଳିକି ରାତି ଅନିଦ୍ରା ରହି ଲୋକେ ଆରଟିଓ ଅଫିସ ସାମନାରେ ଶୋଇକି ରହୁଥିଲେ ଲାଇନ ପାଇଁ । ସେହିଭଳି ଭାବେ ଆଜି ଭିଡ ଦେଖିବାକୁ ମିଳିନାହିଁ ।

ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡାକଡି କରିବାକୁ ସରକାର ଘୋଷଣା କରିଥିଲେ । ନୂଆ ଯାନବାହାନ ନିୟମ ଲାଗୁ କରିବା ପରେ ପୁଣି ତିନି ମାସର ମହଲତ ନେଇ ଗତକାଲି ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ସମୟ ଅବଧି ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି । ପୂର୍ବରୁ ମଧ୍ୟ ତିନିମାସ ସମୟ ଦେଇଥିଲେ ଏବଂ ଚଳିତ ମାସ ଶେଷରେ ଏହି ମିଆଦ ଶେଷ ହେଉଥିଲା । କିନ୍ତୁ ବିଧାନସଭାରେ ସବୁ ପକ୍ଷରୁ ଏହାକୁ ବଢାଇବାକୁ ଦାବି ହୋଇଥିଲା । ତେବେ ବାସ୍ତବତା ଥିଲା କିନ୍ତୁ ଅଲଗା ।

 

ଭିତିଭୂମିର ଅଭାବ ଯୋଗୁ ଲୋକେ ନିଜ ଗାଡି କାଗଜପତ୍ର , ଡ୍ରାଇଭିଂ ଲାଇସନ୍ସ ପାଇଁ ଆସି ହନ୍ତସନ୍ତ ହେଉଥିଲେ । କେତେ ବେଳେ ଲିଙ୍କ ରହୁ ନାହିଁ ତ କେତେବେଳେ କର୍ମଚାରୀଙ୍କ ଅସହଯୋଗର କଥା ଉଠାଇଛନ୍ତି ଲୋକେ । ଏପରିକି ଯେଉଁ ଢଙ୍ଗରେ ଆରଟିଓ ଗୁଡିକରେ କାମ ଚାଲିଛି, ତାହା ଏହି ୩ ମାସ ମଧ୍ୟରେ କେବେ ବି ଶେଷ ହେବ ନାହିଁ ବୋଲି ଲୋକେ କ୍ଷୋଭର ସହ କହିଛନ୍ତି । ସକାଳୁ ରାତି ଯାଏଁ ଲୋକଙ୍କୁ ଧାଡି ଲଗାଇବାକୁ ପଡୁଥିଲା । ଏଭଳି ସ୍ଥିତିରେ ସୃଷ୍ଟିହୋଇଥିଲା ବଡ ପ୍ରଶ୍ନ କି, ଭିତିଭୂମି ନାହିଁ , ୩ ମାସ ଭିତରେ ଏସବୁ କାମ ହେବ କେମିତି ।