କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ନିର୍ମାଣ ସୌଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିରଳ ଦୃଶ୍ୟ । କାର୍ଯ୍ୟାଳୟରେ ପଶି ଚୌକି, ଟେବୁଲ, ଆଲମିରାଠୁ ଆରମ୍ଭ କରି ଏସି, ଫ୍ୟାନ ସମେତ ସବୁ ଆସବାବପତ୍ର ବୋହି ନେଲେ କୋର୍ଟ କର୍ମଚାରୀ । ଆସବାବପତ୍ର ନେଇଯିବାରୁ ଫାଇଲ ଗୁଡିକ ଏଣେତେଣ ବିଛାଡି ହୋଇପଡିଥିଲା । ସରକାରୀ ଅଫିସରେ କାମ କରୁଥିବା କର୍ମଚାରୀମାନେ ଏଭଳି ପରିସ୍ଥିତିରେ କଣ କରିବେ ବୁଝି ପାରିନଥିଲେ । ଚେୟାର ନଥିବାରୁ ମହିଳା କର୍ମଚାରୀମାନେ ଛିଡା ହୋଇ ଡ୍ୟୁଟି କରିଥିଲେ । ଏପରିକି ନିଜର ବ୍ୟକ୍ତିଗତ ଜିନିଷ ପତ୍ର ବ୍ୟାଗରେ ରଖି ସାଙ୍ଗରେ ନେଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ବକେୟା ୧୮ଲକ୍ଷ ଟଙ୍କା ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଛି କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସମୟରେ ଟଙ୍କା ପୈଠ ନହେବାରୁ ଠିକାଦାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ନିଲାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପୁରା ଘଟଣା ଏହିପରି । ୧୯୯୮ ମସିହାରେ ଭୁବନେଶ୍ୱରରେ ନଅ ତାଲା ନିର୍ମାଣ କରିଥିଲେ କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ । କୋଠା ନିର୍ମାଣ ସରିବା ପରେ ମଧ୍ୟ ତାଙ୍କ ପ୍ରାପ୍ୟ ମିଳିନଥିଲା । ଆଜି କାଲି କହି କୋଠାବାଡି ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା ସମୟ ଗଡାଇଥିଲେ । ଏନେଇ ଭୁବନେଶ୍ୱର ସିନିୟର ଡିଭିଜନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଠିକାଦାର । କୋର୍ଟଙ୍କ ନିର୍ଦେଶ କ୍ରମେ ନିଲାମ ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସିଭିଲି ଜଜ୍ ସିନିୟର ଡିଭିଜନଙ୍କ କୋର୍ଟରେ ଠିକାଦାରଙ୍କ ଟଙ୍କା ପୈଠ କରାଯାଇଛି । ଟଙ୍କା ପୈଠ ପରେ ନିଲାମ ପ୍ରକ୍ରିୟା ଅଟକିଛି ।
ଜଣେ ଠିକାଦାରଙ୍କ ବକେୟା ଟଙ୍କା ଦେଇନପାରି ସରକାରୀ କାର୍ଯ୍ୟାଳୟର ଆସବାବପତ୍ର ଜବତ ଓ ନିଲାମ ପର୍ଯ୍ୟନ୍ତ କଥା ଯିବା ଘଟଣା ଚର୍ଚ୍ଚାରେ ରହିଛି । ସରକାରୀ ସ୍ତରରେ ହୋଇଥିବା ଏଭଳି ଅବହେଳାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।