କେମିତି ହେବ ଓଡ଼ିଶା ନିର୍ମାଣ । କନକ ନ୍ୟୁଜ୍ କନକ୍ଲେଭରେ ମତ ରଖିଲେ ଅତିଥି ।

94

କନକ ବ୍ୟୁରୋ : ସରକାରଙ୍କୁ ପ୍ରଶ୍ନ ପଚାରୁ ଗଣମାଧ୍ୟମ, ହେଲେ ଏଥିପାଇଁ ଗଣମାଧ୍ୟମକୁ ଆତ୍ମନିର୍ଭର ହେବା ଆବଶ୍ୟକ । ଖବର ନିରପେକ୍ଷ ନହେଲେ ଗଣତନ୍ତ୍ରକୁ ଏହାର ମୂଲ୍ୟ ଦେବାକୁ ପଡିବ । ଓଡ଼ିଶା ନିର୍ମାଣ କନକ୍ଳେଭରେ ମତ ରଖି ଏହା କହିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ । ସେପଟେ ଓଡ଼ିଶା ନିର୍ମାଣ କନକ୍ଲେଭରେ ଭାଗନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ କହିଛନ୍ତି ଓଡିଶା ପୂର୍ବରୁ ଅନ୍ୟ ପାଖରେ ହାତ ପାତୁଥିଲା, ଏବେ ଅନ୍ୟଙ୍କୁ ସାହାଯ୍ୟର ହାତ ବଢାଉଛି ।

‘ସରକାରଙ୍କୁ ପ୍ରଶ୍ନ ପଚାରୁ ଗଣମାଧ୍ୟମ’ । ଓଡ଼ିଶା ନିର୍ମାଣ କନକ୍ଳେଭରେ ମତ ରଖିଲେ ରୁବେନ୍ ବାନାର୍ଜୀ । ବିକାଶ କିପରି ହେବ, ଆଉ ଏଥିରେ ଗଣମାଧ୍ୟମର ଭୂମିକା କ’ଣ ରହିବ, ଏ ନେଇ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି, ସରକାରଙ୍କୁ ପ୍ରଶ୍ନ ପଚାରିବା ଦାୟିତ୍ୱ ଗଣମାଧ୍ୟମର । ସେଥିପାଇଁ ଗଣମାଧ୍ୟମ ଆତ୍ମନିର୍ଭର ହେବା ଆବଶ୍ୟକ । ଗ୍ରାହକଙ୍କୁ ଖବର କିଣିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ନହେଲେ ଏହା ନିରପେକ୍ଷ ହୋଇପାରିବ ନାହିଁ । ଖବର ନିରପେକ୍ଷ ନହେଲେ ଗଣତନ୍ତ୍ରକୁ ଏହାର ମୂଲ୍ୟ ଦେବାକୁ ପଡିବ ।

ଲକଡାଉନ ବେଳେ ଓଡ଼ିଶାରେ ଯେଉଁ ସ୍ଥିତି ହେଲା, ସେଥିପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବକୁ ଦାୟୀ କରିଛନ୍ତି ରୁବେନ୍ । ଲୋକେ ଓଡିଶା ଫେରିଲେ, ହେଲେ ଓଡିଶାରୁ କେହି ବାହାରକୁ ଗଲେନାହିଁ । ଏନେଇ ସରକାରଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିବା ଉଚିତ ବୋଲି ସେ କହିଛନ୍ତି । ୨ବର୍ଷ ହେଲା ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡା ଯାଉନାହିଁ । ସଚିବାଳୟକୁ ମିଡିଆ ଯାଇ ପାରୁନଥିବାବେଳେ ସରକାରଙ୍କୁ କିଏ ପ୍ରଶ୍ନ କରିବ ବୋଲି କହିଛନ୍ତି ରୁବେନ ବାନାର୍ଜୀ ।

ସେହିପରି ଓଡ଼ିଶା ନିର୍ମାଣ କନକ୍ଲେଭରେ ଭାଗନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ କହିଛନ୍ତି ଓଡିଶା ପୂର୍ବରୁ ଅନ୍ୟ ପାଖରେ ହାତ ପାତୁଥିଲା, ଏବେ ଅନ୍ୟଙ୍କୁ ସାହାଯ୍ୟର ହାତ ବଢାଉଛି । ୧୯୯୯ ମହାବାତ୍ୟାର ଉଦାହରଣ ଦେଇ ସେ କହିଛନ୍ତି, ବାତ୍ୟା ସମୟରେ ବାହାର ରାଜ୍ୟରୁ ପୁରୁଣା ପୋଷାକ ଓ ଚପଲ ଧରି ଟ୍ରକ ଆସିଥିଲା । ଏବେ କିନ୍ତୁ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁରେ ବନ୍ୟା ହେଲେ ସହାୟତା ପହଞ୍ଚାଉଛି ଓଡିଶା । ଅତୀତରୁ ଶିକ୍ଷା ନେଇ ଆମେ ଭବିଷ୍ୟତକୁ ସଜାଡି ପାରିବା ବୋଲି କହିଛନ୍ତି ଆର ବାଲକ୍ରିଷ୍ଣନ ।