ଓଡିଶା ନିର୍ମାଣ କନକ୍ଲେଭ-୨୦୨୦ । କାର୍ଯ୍ୟକ୍ରମରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି । ‘ଓଡିଶା ବାହାରେ ଓଡିଶାର ପରିଚୟ’ ପ୍ରସଙ୍ଗରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଲେ, ଓଡିଶା ପାଇଁ ମୋତେ ବିଶ୍ୱରେ ମିଳିଛି ସ୍ୱତନ୍ତ୍ର ପରିଚୟ

269

କନକ ବ୍ୟୁରୋ: ଓଡିଶା ଯୋଗୁଁ ମୋତେ ପରିଚୟ ମିଳିଛି । କୋଣାର୍କ ଶିଳ୍ପୀଙ୍କ ଆଶୀର୍ବାଦ ଯୋଗୁଁ ଓଡିଶା ବର୍ତ୍ତମାନ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଏବେବି ଓଡିଶାର ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେକି ପଦ୍ମଶ୍ରୀ ପୁରସ୍କାର ପାଇବାରୁ ବଂଚିତ ଅଛନ୍ତି । ମୋତେ ପଦ୍ମଶ୍ରୀ ମିଳିଥିଲେ ବି ଅନ୍ୟମାନଙ୍କୁ ମିଳିବା ନିହାତି ଜରୁରୀ । ସେହିଭଳି ଓଡିଶାର କଳା, ସଂସ୍କୃତିକୁ ନେଇ ଓଡିଶା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବିଶାଳ ବେଳାଭୂମି, ରତ୍ନ ଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ, ସଂପଦ ଓ ଅମାପ ଖଣିଜ ସଂପଦ ରହିଛି ଏବଂ ପ୍ରଗତିରେ ଶୀର୍ଷରେ ପହଂଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରି ରହିଛି । ତେଣୁ ମୁଁ ଜଣେ ଓଡିଆ ହୋଇ ଗର୍ବିତ । ଆଜି ପୂର୍ବାହ୍ନରେ କନକ ନ୍ୟୁଜ ପକ୍ଷରୁ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଓଡିଶା ନିର୍ମାଣ କନକ୍ଲେଭ-୨୦୨୦ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ: ଓଡିଶା ବାହାରେ ଓଡିଶାର ପରିଚୟରେ ସାମିଲ ହୋଇ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହା କହିଛନ୍ତି ।

ଓଡ଼ିଶା ବାହାରେ ଓଡ଼ିଶାକୁ ଦେଶବାସୀ କିମ୍ବା ବିଶ୍ୱବାସୀ କେମିତି ଜାଣନ୍ତି? ସତରେ କ’ଣ ଓଡ଼ିଶାର କଳା-ସଂସ୍କୃତି ଓ ପ୍ରକୃତ ପରିଚୟ ସହ ବିଶ୍ୱାସୀ ପରିଚିତ ଅଛନ୍ତି? ଆଉ ଯଦି ନାହାଁନ୍ତି କେଉଁଠି ରହିଯାଉଛି ତ୍ରୁଟି? ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଟିଡିସିର ଶ୍ରୀମୟୀ ମିଶ୍ର ଏବଂ ସାବତ ଏକ୍ସପୋର୍ଟ ଲିମିଟେଡ୍ର ନିର୍ଦ୍ଦେଶିକା ଅନୀତା ସାବତ ।

ତେବେ ଓଡିଶା ବାହାରେ ଓଡିଶାର ପରିଚୟ ପ୍ରସଙ୍ଗରେ ଅନୀତା ସାବତ କହିଛନ୍ତି କି, ବାହାରେ ଓଡିଆ ଲୋକ ଓଡିଆ ଜାଣନ୍ତି ନାହିଁ । ବାପା ଓ ମାଆ ମଧ୍ୟରେ ଅଲଗା ଭାଷା ଯୋଗୁଁ ଏଭଳି ଅସୁବିଧା ସୃଷ୍ଟି ହୋଇଛି । ତେଣୁ ଯଦି ଆମେ ଓଡିଆରେ କଥାବାର୍ତ୍ତା ହେବା ତେବେ ଓଡିଆ ଭାଷା ଶିଖିବାରେ କୌଣସି ଅସୁବିଧା ହେବ ନାହିଁ । ସେହିଭଳି ବର୍ତ୍ତମାନ ଓଡିଶା ୧୭ଟି ଜିନିଷକୁ ଜିଆଇ ମାନ୍ୟତା ମିଳିସାରିଛି । ଆହୁରି ଅନେକ ଜିନିଷ ଜିଆଇ ମାନ୍ୟତା ପାଇବାର ଯୋଗ୍ୟତା ଅଛି । ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆମକୁ କଷ୍ଟ କରିବାକୁ ପଡିଥିଲା । ତେବେ ଓଡିଶାର ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକି ଲୋକଲୋଚନକୁ ଆସିପାରିନଥିବା ବେଳେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି ଅନୀତା ସାବତ ।

ସେହିଭଳି ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଓଡିଶା ପର୍ଯ୍ୟଟନ ବିଭାଗ କାର୍ଯ୍ୟ ଇକୋ ରିଟ୍ରିଟରେ ସୀମିତ ନୁହେଁ । ଶୌଚାଳୟ କରିବା କୌଣସି ବଡ କଥା ନୁହେଁ ବରଂ ଏହାର ରକ୍ଷଣାବେକ୍ଷଣା କରିବା ନିହାତି ଜରୁରୀ । ସେହିଭଳି ଓଡିଶାର ଅନେକ ବେଂଚ ମାର୍କ ରହିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓଡିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।