ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି କରିବ କଂଗ୍ରେସ : ସୂଚନା ଦେଲେ ପିସିସି ସଭାପତି; ସେପଟେ, ୧୫ରେ ବାମଦଳର ଓଡିଶା ବନ୍ଦ ଡାକରାକୁ କରିବ ସମର୍ଥନ

113

କନକ ବ୍ୟୁରୋ : ତୈଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏହି ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ତୈଲଦର ବୃଦ୍ଧିକୁ ବିରୋଧ କରି ଏକ ବିଶାଳ ସାଇକେଲ ରାଲି କରାଯିବ । ଏହାଛଡା ଜୁଲାଇ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି । ଆସନ୍ତା ୧୭ ତାରିଖରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାରଙ୍କୁ ପାଖରେ ଦାଖଲ କରାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେପଟେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ନବନିର୍ମାଣ ଯୁବ ଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟାର ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଏଭଳି ଆନ୍ଦୋଳନ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି । ତେଲ ଦର ସମେତ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ ଯୁବ ଛାତ୍ର । ଦରବୃଦ୍ଧି ସାଧାରଣ ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । ତେଣୁ ଏହାର ପ୍ରତିବାଦ ଜଣାଇ ଏହି ଆନ୍ଦୋଳନ କରାଯାଇଛି ।