ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ

150

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ୧୦ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।

ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ଯିବେ । ଔଷଧ, ବେଡ଼, ଅକ୍ସିଜେନ ସବୁ ମହଜୁଦ ଅଛି । ଯଦି ସଚେତନ ନ ହେବା ସ୍ଥିତି ଭୟଙ୍କର ହେବ । ରାଜ୍ୟରେ ଯେତିକି କୋଭିସିଲଡ଼ ଟୀକା ଅଛି ତାହା ୨ ରୁ ୩ ଦିନ ଯିବ । ଆମେ ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛୁ ।

ସେହିପରି ଡ଼ିଏମଇଟି ସି.ବି.କେ ମହାନ୍ତି କହିଛନ୍ତି ଯେ ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି । କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ଼, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ।