କଟକରେ ତାଲିବାନୀ ଶାସନର ଦୃଶ୍ୟ : ଗଞ୍ଜେଇ ଟଙ୍କା ପାଇଁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୨କିମି ଦୌଡ଼ାଇଲେ ଦୁର୍ବୃତ୍ତ

କଟକରେ ତାଲିବାନୀ ଶାସନର ଦୃଶ୍ୟ : ଗଞ୍ଜେଇ ଟଙ୍କା ପାଇଁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୨କିମି ଦୌଡ଼ାଇଲେ ଦୁର୍ବୃତ୍ତ

କନକ ବ୍ୟୁରୋ : କଟକ ସହରରେ ତାଲିବାନୀ ଶାସନର ନଗ୍ନ ନମୂନା । ଉଦ୍ଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨ କିଲୋମିଟର ସ୍କୁଟି ପଛରେ ବାନ୍ଧି ଦୌଡ଼ାଇଲେ କଟକର ୨ଜଣ ଯୁବକ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଥିଲେ ଦୁର୍ବୃତ୍ତ । ସୂଚନାମୁତାବକ ଗଞ୍ଜେଇ କିଣିବାକୁ ଟାଙ୍କା ନେଇ ନଫେରାଇବାରୁ ଏଭଳି ଦଣ୍ଡ ଦେଇଥିବା ଜଣାପଡ଼ିଛି ।

ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା । ମିସନ୍‌ରୋଡ୍‌ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍‌ ପଛରେ ବାନ୍ଧି ଦିଆଯାଇଥିଲା । ବାଇକ୍‌ରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ । ଯୁବକଜଣକ ବାଇକ୍‌ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ । ଯୁବକଙ୍କୁ ‌ଗାଡ଼ି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍‌ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ । ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ବୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍‌ ନେଇଥିଲା ।

୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’ ସ୍ଥାନୀୟ ଲୋକେ ଏହାର ପ୍ରତିରୋଧ କରିଥିଲେ। ମାତ୍ର, ‘ଆମ ଟଙ୍କା ଫେରାଇ ଦିଅ, ଆମେ ତାକୁ ଛାଡି ଦେବୁ, ନହେଲେ ହଟିଯାଅ’ ବୋଲି କହି ଦୁଇ ଯୁବକ ମାରଣାସ୍ତ୍ର ଦେଖାଇଥିଲେ । ଫଳରେ, ଲୋକମାନେ ଭୟଭୀତ ଅବସ୍ଥାରେ ଦୂରେଇ ଯାଇଥିଲେ । ଏହାପରେ, ସମ୍ପୃକ୍ତ ଯୁବକଙ୍କୁ ସେମିତି ଦୌଡ଼ାଇ ଦୌଡ଼ାଇ ଓଡ଼ିଆବଜାର ଆଡ଼କୁ ନେଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ‌ଯୁବକଙ୍କୁ ବାନ୍ଧି ନେଉଥିବା ବାଇକ୍‌ର ନମ୍ବର ପ୍ଲେଟ୍‌ ଅଧା ଭାଙ୍ଗିଯାଇଥିବା କିଛି ସ୍ଥାନୀୟ ଲୋକ କହିଛନ୍ତି । ସହର ଭିତରେ ମିସନ ରୋଡ଼ ଅଞ୍ଚଳରେ ଏଭଳି ଅମାନୁଷିକ କାମ ଚାଲିଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଅପରପକ୍ଷେ ଏହା ସହରର ଆଇନ ଶୃଙ୍ଖଳା ପ୍ରତି ପ୍ରଶ୍ନ ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe