‘ଫୋନି’ ପାଇଁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ । କାଲିରାତି ସୁଦ୍ଧା ଯୁଦ୍ଧକାଳୀନ ଭିତିରେ ହେଲା ସ୍ଥାନାନ୍ତର

ଆଇଏମଡି ଏଡିଜି କହିଲେ, ତିତଲିଠୁ ଅଧିକ ଏବଂ ଫାଇଲିନରୁ କମ୍ ରହିବ ପ୍ରଭାବ

96

କନକ ବ୍ୟୁରୋ: ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି, ଲୋକଙ୍କ ମଧ୍ୟରେ ସେତିକି ଭୟ ବୃଦ୍ଧି ପାଇଚାଲିଛି । ଆଉ ସାମୁଦ୍ରିକ ବାତ୍ୟା ଫୋନିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିର୍ତ୍ତିରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ତଳିଆ ଅଂଚଳରୁ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କୁ ସ୍ଥାନାନ୍ତରଣ କରୁଛି ପ୍ରଶାସନ ।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଉପକୂଳବର୍ତୀ ଗୋପାଳପୁର, ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଗଂଜାମ ବ୍ଲକ ସମେତ ଅଧିକାଂଶ ସ୍ଥାନରେ ଆଜି ମଧ୍ୟାହ୍ନରୁ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପାଗ ବଦଳି ଯାଇଛି। ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା କ୍ରମଶଃ ବଢ଼ିବାରେ ଲାଗିଛି। ତେଣୁ ‘ଫନି’ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ଜିଲ୍ଲାର ୧୦୬୯ଟି ଆଶ୍ରୟସ୍ଥଳକୁ ୭୯ହଜାର ୯୧୪ ପରିବାରର ୨ ଲକ୍ଷ ୮୧ ହଜାର ୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରେ ୧ଲକ୍ଷ ୧୫ହଜାର ୬୭ଜଣ ପୁରୁଷ, ୧ଲକ୍ଷ ୬ହଜାର ୩୫୫ଜଣ ମହିଳା, ୫୮୮୯୯ଜଣ ଶିଶୁ, ୧୮୭ଜଣ ଦିବ୍ୟାଙ୍ଗ ରହିଛନ୍ତି। ୫୪୧ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୬୪୬ ଆଶ୍ରୟସ୍ଥଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗୋପାଳପୁର ଡପଲାର ରାଡାର୍ର ସୂଚନା ଅନୁଯାୟୀ, ‘ଫୋନି’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଥିବାରୁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ରେଡ୍ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ଘଣ୍ଟା ପ୍ରତି ପବନର ବେଗ ୧୩୦ ରୁ ୧୫୦ କିମି ରହିବା ଆଶଙ୍କା ରହିଛି। ଗୋପାଳପୁର ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବାବେଳେ ଗୋପାଳପୁର ବନ୍ଦରରେ ୧୦ ନମ୍ବର ବିପଦ ସଂକେତ ଦିଆଯାଇଛି। ସମୁଦ୍ରରେ ଦେଢ଼ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ର ନିକଟକୁ ନ ଯିବାକୁ ବାରଣ କରାଯାଇଛି । ଶୁକ୍ରବାର ସକାଳଠାରୁ ବାତ୍ୟା ଅତିକ୍ରମ କରିବା ଯାଏଁ ଲୋକଙ୍କୁ ଘରୁ ନ ବାହାରିବା ଲାଗି ନିବେଦନ କରାଯାଇଛି।