ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା ଜିତୁଥିବାରୁ ମାଆ କହିଲା, ମୋ ପୁଅ ମୋ ପାଇଁ ଚଳନ୍ତି ଜଗନ୍ନାଥ…

642

କନକ ବ୍ୟୁରୋ: ପୁଅ ମୋର କଳା ଠାକୁର । ସେ କାଳିଆ ସୁନା, ଚଳନ୍ତି ଜଗନ୍ନାଥ । ତାର ହାତ ନଥାଉ, ସେ ହାରିଯାଇନି । ଜୀବନ ସହ ଲଢି ଲଢି ଯୁଦ୍ଧ ଜିତିଛି । ଅକ୍ଷମ ହୋଇ ବି ସକ୍ଷମଙ୍କ ଭଳି ସଫଳତାର ଶିଢି ଚଢିଛି, ମୋ ଘରକୁ ଜଗା ଆସିଛି, ଜଗା ଆସିଛି । ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପୁଅ ପାସ୍ କରିବା ପରେ ମାଆ ଭାବବିହ୍ୱଳ ହୋଇ ପଡିଛି । ଆଉ ବଖାଣିଛି ପୁଅର ସଙ୍ଘର୍ଷରୁ ସଫଳତାର କାହାଣୀ ।
କିଛି ଦିନ ତଳେ ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପୁଅ ପାସ୍ କରିବା କାହାଣୀ କନକ ନ୍ୟୁଜରେ ଆମେ ପ୍ରସାରଣ କରିଥିଲୁ । ଶାରୀରିକ ଅକ୍ଷମତା ସତ୍ୱେ ୮୬ ପ୍ରତିଶତ ନମ୍ବର ରଖି ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ସଫଳ ହୋଇଥିବା ଖୋର୍ଦ୍ଧାର ସୌମ୍ୟରଞ୍ଜନ ସାହୁଙ୍କ କାହାଣୀ ଦେଖାଇବା ପରେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦିନେ ଯେଉଁ ପୁଅକୁ ମାଆ ବିଷ ଦେଇ ମାରିଦେବ ବୋଲି ଭାବିଥିଲା ଆଜି ସେହି ପୁଅ ହାତ ନଥାଇ ବି ମାଆ ହାତରେ ସଫଳତା ଧରେଇ ତୋଳିଦେଇଛି ମମତାର ମନ୍ଦିର । ଯେଉଁଥି ପାଇଁ ଖୁସିରେ ଆତ୍ମହରା ହୋଇଛି ମାଆ…

ତେବେ ୨୦୧୭ ମାର୍ଚ୍ଚ ୯ ତାରିଖରେ ଛାତ ଉପରେ ଭଉଣୀ ସହ ଖେଳୁଥିବା ବେଳେ ବିଦ୍ୟୁତ୍ ଝଟକାରେ ଛାତରୁ ଖସି ପଡିଥିଲେ ସୌମ୍ୟ । ଆଉ ପୋଡ଼ି ଯାଇଥିବା ୨ଟି ହାତକୁ ଅପରେସହନ ପରେ କଟାଯାଇଥିଲା । ହାତ ନଥିବାରୁ ଅନ୍ୟ ପିଲାଙ୍କ ପରି ତାଙ୍କ ପୁଅ କେମିତି ଜୀବନ ଜିଇଁବ, କେମିତି କାମ କରିବ ସେ ନେଇ ସବୁ ଆଶା ଛାଡି ଦେଇଥିଲେ ବାପାମାଆ । ହେଲେ ପରିବାର ଆଖିରେ ବହୁଥିବା ନିରାଶାର ନଈ ପହଁରି ଶେଷରେ ସଫଳତା ପାଇଛନ୍ତି ସୌମ୍ୟ । ଆଉ କହିଛନ୍ତି, ମେ କିସିସେ କମ୍ ନେହିଁ…

ସେପଟେ ଜଗନ୍ନାଥଙ୍କ ପରି ହାତ ନଥିବା ଭାଇର ଛାଇ ପାଲଟିଛି ଭଉଣୀ । ରାକ୍ଷୀ ବାନ୍ଧିବାକୁ ଭାଇର ସିନା ହାତ ନାହିଁ ହେଲେ ସାରା ଜୀବନ ଭାଇର ସାହାରା ସାଜିବାକୁ ଶପଥ ନେଇଛି ଭଉଣୀ । କୁନି ଭାଇକୁ ଖୁଆଇଦେବାଠୁ, ବାଟ ଚଲେଇବା, ପ୍ଲାଷ୍ଟିକ ହାତ ପିନେ୍ଧଇ ଦେବା ଠାରୁ ପାଠ ପଢା ଯାଏଁ, ପଛେ ପଛେ ରହି ସବୁ କାମ କରେ ଭଉଣୀ । ଆଉ ଭାଇ ବି ଗେହ୍ଲୀ ଭଉଣୀକୁ ନିଜ ସାଇକେଲରେ ବୁଲାଇ ତାସହ ସମୟ ବିତାଇ ଦିଏ ।

ତେବେ ସମୟ ଆଗରେ ଆତ୍ମସମର୍ପଣ ନକରି ସମୟ ସହ ସଂଘର୍ଷ କରି ସଫଳତା ପାଇଥିବା ସୌମ୍ୟରଞ୍ଜନ ନିଜ ପ୍ଲାଷ୍ଟିକ ହାତରେ ସାଇକେଲ ଚଲାଇ ପାରନ୍ତି, ମୋବାଇଲରେ ଲେଖିପାରନ୍ତି ଆଉ କମ୍ପ୍ୟୁଟର ମଧ୍ୟ ଚଲାଇ ପାରନ୍ତି । ବିନା ହାତରେ ଏତେ ସବୁ କାମ କରି ସମାଜ ପାଇଁ ଉଦାହରଣ ସାଜିଥିବା ସୈାମ୍ୟ ବୋଧେ ସେଇଥିପାଇଁ ମାଆ ଆଖିରେ ପାଲଟିଛନ୍ତି ଚଳନ୍ତି ଜଗନ୍ନାଥ…