ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲା ଓଡିଶା ମୋ ପରିବାର । 

90

କନକ ବ୍ୟୁରୋ : ଖୋର୍ଦ୍ଧାର ଏକ ଘରୋଇ ଇଂଜିନିୟରିଂ କଲେଜରେ  ଡିପ୍ଲୋମା କରୁଥିବା ରୋଜି ବେହେରାଙ୍କ ଜୀବନ ସଂଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଏବେ ଏହି ଘଟଣାରେ ହସ୍ତକ୍ଷେପ କରିଛି ଓଡିଶା ମୋ ପରିବାର ।

ଏନେଇ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ କହିଛନ୍ତି, କନକ ନ୍ୟୁଜରୁ ଖବର ପ୍ରସାରଣ ପରେ ଅବଗତ ହେଲି । ସାର୍ଟିଫିକେଟ ଅଭାବରୁ ଚାକିରିରୁ ବଞ୍ଚିତ ହୋଇଥିଲେ ରୋଜି । ଘଟଣା ଜାଣିବା ପରେ ଓଡିଶା ମୋ ପରିବାର ସଦସ୍ୟଙ୍କୁ ସତ୍ୟାସତ୍ୟ ଜାଣିବାକୁ ରୋଜିଙ୍କ ଘରକୁ ପଠାଇଥିଲି । ଜିଲ୍ଲାପାଳ ଓ ବିଡିଓଙ୍କ ସହ ଯୋଗାଯୋଗ କରି ଯାହା ହୋଇ ପାରିବ କରିବି ।

ସିଭିଲି ଇଂଜିନିୟରିଂରେ ଡିପ୍ଲୋମା ସରିଥିଲେ ବି ରୋଜିଙ୍କୁ ସାର୍ଟିଫିକେଟ ମିଳିନଥିଲା। କାରଣ କଲେଜର ବକେୟା ୨୫ ହଜାର ଟଙ୍କା  ସେ ଦେଇ ପାରି ନାହାନ୍ତି । ବାପା ମାଆଙ୍କର ସେମାନେ ୫ ଝିଅ, ସମସ୍ତେ ପାଠ ପଢୁଛନ୍ତି, ଆଉ ଖର୍ଚ୍ଚ ତୁଳାଇବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନଥିବାରୁ କଲେଜ ଫି ଦେଇ ପାରିନାହାନ୍ତି । ତେଣୁ କଲେଜରେ ଫସିଥିବା ସାର୍ଟିଫିକେଟକୁ ମୁକୁଳାଇବା ପାଇଁ ଏଭଳି ମୁଲ ଲାଗୁଛନ୍ତି ରୋଜି ବେହେରା ।

ତେବେ ଏହି ଘଟଣା ପରେ ରାନୀ ପଣ୍ଡା ମଧ୍ୟ ରୋଜିଙ୍କୁ ସହାୟତା କରିଛନ୍ତି । ରୋଜିଙ୍କ ସାର୍ଟିଫିକେଟ୍ ମୁକୁଳାଇବାକୁ ନିଜ ବ୍ୟାଙ୍କ ଆକାଉଂଟରୁ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ପଠାଇଛନ୍ତି ରାନୀ ପଣ୍ଡା ।