ଗୋଟିଏ ଫୋନ କଲରେ ଭୁବନେଶ୍ୱରରୁ ଶବ ଯାଇ ପହଞ୍ଚିଲା ଜନ୍ମମାଟି ମୟୁରଭଞ୍ଜରେ । ଗରିବ ରଞ୍ଜିତ ପରିବାରକୁ ସହାୟ ହେଲା ଓଡିଶା-ମୋ ପରିବାର

61

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ତୋଟାପଡ଼ା ଅଞ୍ଚଳର ୫୭ ବର୍ଷିୟ ରଞ୍ଜିତ ଧର ମହାପାତ୍ର, କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ଗତକାଲି ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ଘରର ମୁରବୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ସ୍ଥାନାନ୍ତର କରିବା ପାଇଁ ଅସହାୟ ହୋଇପଡ଼ିଥିଲେ । ଆଉ ଘଟଣା ସମ୍ପର୍କରେ ଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେଇଥିଲେ। ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ମୃତଦେହ ସ୍ଥାନାନ୍ତର ନିମନ୍ତେ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ସମୟରେ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ହେଲ୍ପଡ଼େସ୍କ ସହଯୋଗୀ ଆଲୋକ ଓ ଜ୍ୟୋତି ଉପସ୍ଥିତ ରହି ପରିବାରବର୍ଗଙ୍କୁ ଶାନ୍ତ୍ଵନା ଦେବା ସହିତ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ । ଆବଶ୍ୟକ ସମୟରେ ସହାୟତାର ହାତ ବଢାଇଥିବାରୁ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।