କନକ ବ୍ୟୁରୋ : କଳାହାଣ୍ଡି ମହାଲିଙ୍ଗର ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମମିତା ନିଖୋଜ ପଛରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ମମିତାଙ୍କ ପରିବାର ଲୋକେ ପୂର୍ବରୁ ଅଭିଯୋଗ ଆଣିଥିଲେ ।ମହାଲିଙ୍ଗ ସନସାଇନ ସ୍କୁଲ ପାଖ ଷ୍ଟାଡ଼ିୟମ ସିଲ କରାଯାଇଛି । ଆଜି ସକାଳର ଏହି ବଡ଼ ହଲଚଲ, ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନେଇ ସନ୍ଦେହ ବଢ଼ାଇ ଦେଇଛି । କାରଣ ଗତ ୮ ତାରିଖରୁ ନିଖୋଜ ଅଛନ୍ତି ଅଧ୍ୟକ୍ଷା ମମିତା ମେହେର । ଷ୍ଟାଡ଼ିୟମ ପରିସରରେ ମାଟି ଖୋଳା ଚାଲିଛି । ମିଳିଥିବା ତାଜା ସୂଚନା ଅନୁସାରେ ଷ୍ଟାଡ଼ିୟମର ଦକ୍ଷିଣ ପୂର୍ବ କୋଣରେ ମାଟି ଖୋଳା କାମ ଆରମ୍ଭ ହୋଇଛି । ସ୍କୁଲ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ମମିତା ମେହେରଙ୍କୁ ମାରି ମାଟିରେ ପୋତି ଦିଆଯାଇଥାଇ ପାରେ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି । ଏପଟେ ପରିବାର ଲୋକଙ୍କୁ ମଧ୍ୟ ଷ୍ଟାଡ଼ିୟମ ନିକଟରେ ପହଂଚିବାକୁ ସୂଚନା ଦିଆଯାଇଛି ।
ସ୍କୁଲ ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଏକ ଫୋନ୍ କଲ୍ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ଅପହୃତାଙ୍କ ସଂପର୍କୀୟ ଦାଦାଙ୍କ ସହିତ ଗୋବିନ୍ଦ କଥାବାର୍ତ୍ତା କରିଛନ୍ତି । କଥାବାର୍ତ୍ତା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ ସେ କଥା ହେଉଥିଲେ । ‘ମନ୍ତ୍ରୀ ଫୋନ୍ ଉଠାଉ ନାହାନ୍ତି । ଭବାନୀପାଟଣାରେ ଅଛନ୍ତି ନା ନାହିଁ, ମୁଁ ଖବର ପାଇନି । କିନ୍ତୁ ତାଙ୍କ ପ୍ରାଇଭେଟ ସେକ୍ରେଟାରିଙ୍କୁ କହିଦେଇଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛି। ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସ୍ତରରେ ଚେଷ୍ଟା କରିବେ’ । ସ୍କୁଲ ଅଧ୍ୟକ୍ଷା ମମିତା ନିଖୋଜ ପରେ ପରିବାର ଲୋକ ଖୋଜାଖୋଜି କରିବା ସମୟରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାଙ୍କ ସଂପର୍କୀୟଙ୍କୁ ଫୋନ୍ କରି ଏଭଳି କିଛି କଥାବାର୍ତ୍ତା କରିଥିଲେ ।
ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇ ଭରସା ଦେଇଥିଲେ। ଆଉ ଗୋବିନ୍ଦ ନିଜେ ଏବେ ପୁଲିସ ବାରାକରୁ ଫେରାର । ତେବେ ଗୋବିନ୍ଦ କଣ ପାଇଁ ମନ୍ତ୍ରୀଙ୍କ ନାଁ ନେଇଥିଲେ ? କାହିଁକି ଏଭଳି ଭରସା ପରିବାର ଲୋକଙ୍କୁ ଦେଇଥିଲେ ? ଏପଟେ ମମିତା ବସ୍ରୁ ଓହ୍ଲାଇବା ପରେ ଗୋବିନ୍ଦ ହିଁ ତାଙ୍କୁ କାର୍ରେ ବସାଇ ଭବାନୀପାଟଣା ନେଇଥିବା ପୁଲିସ ପ୍ରମାଣ ପାଇସାରିଛି । ଏଣୁ ଅପହରଣ ଘଟଣାରେ ନିଜେ ଗୋବିନ୍ଦ ଏକା ଜଡ଼ିତ ନା ଆଉ କିଏ ସବୁ ଲିଙ୍କ୍ରେ ଅଛନ୍ତି ତାହାର ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ।
ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ପୁଲିସ ପ୍ରମାଣ ଖୋଜୁଥିଲା। ହେଲେ ପୁଲିସକୁ ହିଁ ଚକମା ଦେଇ ଫେରାର ମୁଖ୍ୟଅଭିଯୁକ୍ତ। ନିଜେ ଗୋବିନ୍ଦ ଖସିଗଲେ ନା ପୁଲିସ ଖସାଇଦେଲା ତାକୁ ନେଇ ଚାରିଆଡ଼େ ପ୍ରଶ୍ନ। ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ପୁଲିସ ଖସାଇଦେଇଥିବା ଅଭିଯୋଗ କରୁଛନ୍ତି । ଏପଟେ ପୁଲିସ ବାରାକରୁ ଫେରାର ପରେ ତିନିଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପୁଲିସର ପାରିବାପଣିଆ ବି ଏବେ ପଦାରେ ପଡ଼ିସାରିଛି । ନିଖୋଜ ମମିତା ମେହେରଙ୍କୁ ପୁଲିସ ଉଦ୍ଧାର କରିବ କଣ, ଘଟଣାର ମୁଖ୍ୟ ଖଳନାୟକ କହାଯାଉଥିବା ଗୋବିନ୍ଦ ପୁଲିସକୁ ଚକମା ଦେଇ ଫେରାର । ଗତ ୧୧ ଦିନ ହେବ ଶିକ୍ଷୟିତ୍ରୀଙ୍କ ଖୋଜଖବର ନାହିଁ। ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଥିଲା ପୁଲିସ। ଆଉ ଏବେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଣି ସ୍ୱତନ୍ତ୍ର ଟିମ କରି ପୁଲିସ ଖୋଜୁଛି ।
ଅନ୍ୟପକ୍ଷରେ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । ହସ୍ତଗତ ହୋଇଥିବା ଅଡିଓ ଏବଂ ବିରୋଧୀ କଂଗ୍ରେସ ନେତାଙ୍କ ଅଭିଯୋଗରୁ ଜଣାଯାଏ ଯେ ସ୍କୁଲର ମାଲିକ ଗୋବିନ୍ଦ ହିଁ ସବୁର ମାଷ୍ଟରମାଇଣ୍ଡ । ସ୍କୁଲରେ ଛାତ୍ରୀଙ୍କୁ ଫୁସୁଲାଇ ଯୌନ ଶୋଷଣ କରୁଥିଲେ । କାହାକୁ ମାର୍କ ବଢ଼ାଇଦେବାର ପ୍ରତିଶ୍ରୁତି ତ ଆଉ କାହାକୁ ଆଉ କିଛି ପ୍ରତିଶ୍ରୁତି । ଏମିତି କାରନାମା ପୂର୍ବରୁ ବି ସ୍କୁଲରେ ହେଉଥିବା କିଛି କିଛି ସାମ୍ନାକୁ ଆସିଥିଲା । ଯାହାକି ପୂର୍ବରୁ ଚପାଇବାରେ ସଫଳ ହୋଇଥିଲେ ସ୍କୁଲ ମାଲିକ । ସ୍କୁଲ ମାଲିକ ଚଳାଇଥିବା କାରନାମା ସଂପର୍କରେ ମମିତାଙ୍କ ପାଖରେ ପ୍ରମାଣ ଥିଲା । ମମିତା ନିଜ ସ୍କୁଲର ମାଲିକ ତଥା ସଭାପତିଙ୍କୁ ବରବାଦ କରିଦେବାର ଧମକ ବି ଦେଇଥିଲେ । ଖରାପ କାମର ପର୍ଦ୍ଦାଫାସ କରିବାକୁ ଫେକ୍ ଆଇଡି କରି ସଦସ୍ୟ ସଂଗ୍ରହ ଚାଲିଥିଲା । କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମମିତା ନିଖୋଜ ହୋଇଯାଇଥିଲେ । ପୂରା ଘଟଣାର ଟିକିନିଖି ତଦନ୍ତ କରାଗଲେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇପାରିବ ।