କନକ ବ୍ୟୁରୋ: ମୋହନ ସରକାରରେ ଏବେ ବି ୬ ମନ୍ତ୍ରୀ ପଦ ଖାଲି ପଡ଼ିଛି। ତେଣେ ୧୭ ଜିଲ୍ଲାରୁ କୌଣସି ମନ୍ତ୍ରୀ ହୋଇନାହାନ୍ତି । ତେଣୁ ବିଧାନସଭା ଅଧିବେଶନ ପରେ ଏହି ସବୁ ପଦ ପୂରଣ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଆଶାୟୀ ଅନେକ ରହିଥିବାରୁ ମନ୍ତ୍ରୀ ହେବାକୁ ନିଜ ନିଜ ସ୍ତରରେ ଲବି ଆରମ୍ଭ ହୋଇଛି।

  • ବିଧାନସଭା ଅଧିବେଶନ ପରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ !
  • ୬ ମନ୍ତ୍ରୀ ପଦ ଖାଲି, ଆଶାୟୀଙ୍କ ସଂଖ୍ୟା ଅନେକ

ଜୁନ୍ ୧୨ ତାରିଖରେ ଶପଥ ନେଇଥିଲେ ମୋହନଙ୍କ ନୂଆ ଟିମ। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣ ନୂଆ ସରକାରରେ ସ୍ଥାନ ପାଇଥିଲେ। ସେଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାଦ୍ ୨୧ ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରିବେ। ଏବେ ବଳକା ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ ନିଜ ନିଜ ସ୍ତରରେ ଲବି ଆରମ୍ଭ କଲେଣି ବିଧାୟକ।

ତେବେ ବିଧାନସଭାର ଅଧିବେଶନ ସରିବା ପରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଏବେଠୁ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଲାଣି। କାହାକୁ ଭରସା କରିବେ ମୋହନ, ଦଳର ଶୀର୍ଷସ୍ତରରେ ଏନେଇ କସରତ ଆରମ୍ଭ ହେଲାଣି।

  • ମୋହନ ସରକାରରେ ୧୭ ଜିଲ୍ଲା ମନ୍ତ୍ରୀ ଶୂନ୍ୟ
  • ଚର୍ଚ୍ଚିତ ଚେହେରାଙ୍କୁ ମୋହନଙ୍କ ଟିମରେ ମିଳିପାରେ ସ୍ଥାନ

ବିଜେପି ସରକାରରେ କେନ୍ଦ୍ରାପଡା, କଟକ, ସୁନ୍ଦରଗଡ, ବରଗଡ, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଭଳି ଜିଲ୍ଲାକୁ ମନ୍ତ୍ରୀପଦ ମିଳିନି। ଏପରିକି ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ନିରାଶ ହେବାକୁ ପଡିଛି। ପ୍ରଥମ ପର୍ଯ୍ୟାୟରେ ଦଳରେ ଥିବା ବରିଷ୍ଠ ନେତା ଜୟନାରାୟଣ ମିଶ୍ର, ଲକ୍ଷ୍ମଣ ବାଗ ଏବଂ କିଛି ଯୁବ ବିଧାୟକଙ୍କୁ ମୋହନଙ୍କ ଟିମରେ ସ୍ଥାନ ମିଳିନଥିବା ବେଳେ ଏବେ ଏମାନଙ୍କ ନାଁକୁ ନେଇ ବିଚାରବିମର୍ଷ ଚାଲିଛି। ଏବେ ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୩ ଅନୁସୂଚିତ ଜନଜାତି ବର୍ଗ, ୨ ଜଣ ଅନୁସୂଚିତ ଜାତି ଓ ୫ ଜଣ ଓବିସି ବର୍ଗର ମନ୍ତ୍ରୀ ରହିଛନ୍ତି। ତେଣୁ ବିଭିନ୍ନ ବର୍ଗର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ମୋହନ ଖେଳିପାରନ୍ତି ସରପ୍ରାଇଜ କାର୍ଡ।

  • ବିଭିନ୍ନ ବର୍ଗରୁ ପ୍ରତିନିଧିତ୍ୱ ପାଇଁ ମିଳିପାରେ ସୁଯୋଗ
  • ଜୋନସ୍ତରୀୟ ଫର୍ମୁଲାରେ ମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ଦକ୍ଷ ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମିଳିପାରେ ଦାୟିତ୍ୱ
  • ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଦିଆଯିବ ପ୍ରାଥମିକତା