କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିବାବେଳେ ଏବେ ପୁଲିସ ହାତରେ ଲାଗିଛି ଗୋବିନ୍ଦଙ୍କ କାର । ଆଉ କୁହାଯାଉଛି ଯେ ଏହି କାରରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା । କାରଣ କାରକୁ ଜବତ କରିବା ସମୟରେ ସେଥିରୁ ମିଳିଛି ପଟେ ପାଉଁଜି ଓ ପେଟ୍ରୋଲ କଣ୍ଟେନର । ହଳେ ପାଉଁଜିରୁ ଗୋଟିଏ ପାଉଁଜି ମମିତାଙ୍କ ମୃତଦେହ ନିକଟରୁ ଗତକାଲି ଜବତ ହୋଇଥିଲା । ଆଉ ଏହି ପାଉଁଜି ମମିତାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ । ଆଉ ଆଜି କାର ଭିତରୁ ଆଉ ପଟେ ପାଉଁଜି ମିଳିଛି ।
ଷଡଯନ୍ତ୍ର କରି ମମିତାଙ୍କୁ ସେ ଡାକିଥିଲେ । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । କାର ଭିତରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବାର ଜଣାପଡିଛି । ହତ୍ୟା ପରେ ଏହାକୁ କେମିତି ଓ କେଉଁଠି ପୋତିବେ ସେନେଇ ସମସ୍ତ ଯୋଜନା ପୂର୍ବରୁ ଗୋବିନ୍ଦ କରିସାରିଥିଲେ । ଆଉ ୬ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ମମିତାଙ୍କ ପେନଡ୍ରାଇଭ କେଉଁଠି ?
ମମିତା ରଖିଥିଲେ ପେନ ଡ୍ରାଇଭ । ସେଥିରେ ଗୋବିନ୍ଦର କଳାକାରନାମାର ସବୁ ଖେଳ ଭର୍ତ୍ତି ହୋଇ ରହିଥିଲା । ଯାହାକୁ ସେ ଓ ଅନ୍ୟ ଜଣେ ମିଶି ବାହାରେ ପ୍ରଘଟ କରିବାର ଯୋଜନା କରିଥିଲେ । ହେଲେ ତା ପୂର୍ବରୁ ହିଁ ମମିତାଙ୍କ ଖେଳ ଖତମ କରିଦେଲେ ଗୋବିନ୍ଦ । କିନ୍ତୁ ଏବେବି ପେନଡ୍ରାଇଭ କାହା ପାଖରେ ଅଛି ଜଣାପଡିନି । ପରିବାର ଲୋକଙ୍କ କହିବାନୁସାରେ, ପେନଡ୍ରାଇଭ କଥା କେବଳ ମମିତା ହିଁ ଜାଣିଥିଲେ । ସେ କେଉଁଠି ରଖିଛନ୍ତି ସେ ହିଁ କହିପାରିବେ ବୋଲି କହୁଥିଲେ । ଜଣେ ସାଙ୍ଗଙ୍କୁ ବି ସେହିଭଳି ମେସେଜ କରିଥିଲେ ବୋଲି କୁହାଯାଉଛି । ତେବେ ପେନଡ୍ରାଇଭରେ ଏମିତି କଣ ଥିଲା ? ପେନଡ୍ରାଇଭରେ କାହାର ତଥ୍ୟ ସବୁ ଥିଲା ? ଏମିତି କଣ ତଥ୍ୟ ଥିଲା ଯେ, ମମିତାଙ୍କୁ ମର୍ଡର କରାଯାଇ ପୋତାଯାଇଥିଲା ? ପୁଲିସ ଯଦି ପେନଡ୍ରାଇଭକୁ ବାହାର କରେ ତାହେଲେ ସବୁର ଗୁମର ଖୋଲିବ । ତେବେ ପୁଲିସ ମମିତାଙ୍କର ଲାପଟପ ଜବତ କରି ଏବେ ତଦନ୍ତ କରୁଛି । କୁହାଯାଉଛି ଯେ ଲାପଟପରେ ଏମିତି କିଛି ଗୁମର ଥିଲା, ଯାହାକି ପୁଲିସ ପାଇଁ ବଳିଷ୍ଠ ପ୍ରମାଣ ସାବ୍ୟସ୍ତ ହୋଇଛି ।
Follow Us