ବନ୍ଧୁକ ମୁନରେ ବନ୍ଧକ ଦାଦନ: ବାରାଣସୀରେ ବନ୍ଧାପଡ଼ିଛନ୍ତି ରାଉରକେଲାର ୫ ଶ୍ରମିକ; ଉଦ୍ଧାର ପାଇଁ ସରକାରଙ୍କ ନିକଟରେ ଅସହାୟ ପରିବାର ଲୋକଙ୍କ ଗୁହାରି

Advertisment
ବନ୍ଧୁକ ମୁନରେ ବନ୍ଧକ ଦାଦନ: ବାରାଣସୀରେ ବନ୍ଧାପଡ଼ିଛନ୍ତି ରାଉରକେଲାର ୫ ଶ୍ରମିକ; ଉଦ୍ଧାର ପାଇଁ  ସରକାରଙ୍କ ନିକଟରେ ଅସହାୟ ପରିବାର ଲୋକଙ୍କ ଗୁହାରି

କନକ ବ୍ୟୁରୋ: ଦାଦନ ଖଟିବାକୁ ବାରାଣସୀ ଯାଇଥିବା ସ୍ମାର୍ଟସିଟି ରାଉରକେଲାର ୫ ଜଣ ଶ୍ରମିକଙ୍କୁ ବନ୍ଧୁକମୁନରେ ଅଟକ ରଖାଯିବା ସହ ଶାରୀରିକ ଓ ମାନସିକ ନିର୍ଯାତନା  ଦିଆଯାଉଛି। ଏମିତିକି ଅଟକ ଜଣେ ଶ୍ରମିକଙ୍କୁ କୁଆଡ଼େ ପିଟି ପିଟି ମାରିଦେଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପରିବାରବର୍ଗ। ସେଠାରୁ ଲୁଚି ପଳାଇଆସିଥିବା ଦୁଇଜଣ ଶ୍ରମିକ ଏହି ଦୁଃଖଦ କାହାଣୀ କହିବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

ଗତ ଅକ୍ଟୋବର ଶେଷ ସପ୍ତାହରେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜକୁ ରାଉରକେଲାର ମୂଳ ନିବାସୀ ପରିଚୟ ଦେଇ ଗୋପବନ୍ଧୁପାଲିରେ ପହଞ୍ଚିଥିଲା। ସେଠାରେ ପ୍ରାୟ ୧୦/୧୨ ଜଣ ଦିନ ମଜୁରିଆଙ୍କୁ ଭେଟି ବାରାଣସୀରେ ଏକ ପ୍ରତିଷ୍ଠିତ କମ୍ପାନିରେ ଭଲ ଦରମାରେ କାମ ଦେବାକୁ କହିଥିଲେ। ଅଧିକ ରୋଜଗାର ଆଶାରେ ଦଲାଲର ମିଛ ପ୍ରତିଶ୍ରୁତିରେ ଗୋପବନ୍ଧୁପାଲି, ଲାଲ ବିଲ୍ଡିଂ, ଗାନ୍ଧୀ ରୋଡ୍ ଅଞ୍ଚଳର ୭ ଜଣ ଶ୍ରମିକ ଫସିଯାଇଥିଲେ ଆଉ ଗତବର୍ଷ ନଭେମ୍ବର ପହିଲାରେ ବାରାଣସୀ ଅଭିମୁଖେ ବାହାରିଥିଲେ। ରାଉରକେଲା ଷ୍ଟେସନରୁ ଉକ୍ତ ଦଲାଲ ମଧ୍ୟ ଶ୍ରମିକମାନଙ୍କ ସହ ଯାଇଥିଲା। ସେଠାରେ ପହଞ୍ଚିବାପରେ ଦଲାଲ ସମସ୍ତ ୭ ଜଣ ଶ୍ରମିକଙ୍କୁ ଏକ ଇଟାଭାଟିରେ କାମ କରିବାକୁ କହିଥିଲା। ମାତ୍ର ଶ୍ରମିକମାନେ ମନା କରିବାରୁ ଦଲାଲ ଓ ସଂପୃକ୍ତ ଇଟାଭାଟି ମାଲିକ କିଛି ନ ଶୁଣି ଜୋରଜବରଦସ୍ତ ଇଟାଭାଟିରେ ସେମାନଙ୍କୁ କାମ କରିବାଲାଗି ବାଧ୍ୟ କରିଥିଲେ। ପ୍ରଥମ ଦିନରୁ ହିଁ ସେମାନଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ସାମାନ୍ୟ ଭୁଲ୍ ହେଲେ ମାରପିଟ କରିବା ସହ ଠିକଭାବେ ଖାଇବାକୁ ମଧ୍ୟ ଦିଆ ଯାଉ ନଥିଲା। ଏଣୁ ପ୍ରାୟ ୧୫/୨୦ ଦିନ ପରେ ଜଣେ ଯୁବତୀ ସେଠାରୁ ଲୁଚି ରାଉରକେଲାକୁ ପଳାଇ ଆସିଥିଲେ।

ଏହାପରେ ସେଠାରେ ବନ୍ଧା ହୋଇରହିଥିବା ୬ ଜଣ ଶ୍ରମିକଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା। ନିର୍ଯାତନା ଅସମ୍ଭାଳ ହେବାରୁ ପ୍ରାୟ ମାସକ ପରେ ଆଉ ଜଣେ ଶ୍ରମିକ ଜିତୁ ଓରାମ ମଧ୍ୟ ସେଠାରୁ ଲୁଚି ପଳାଇ ଆସିଥିଲେ। ଜିତୁ ରାଉରକେଲାରେ ପହଞ୍ଚିବାପରେ ସେଠାକାର ଘଟଣା ବିଷୟରେ ବିସ୍ତୃତ କହିଥିଲେ। ଏହାପରେ ବାରାଣସୀରେ ବନ୍ଧକ ଥିବା ରବୀନ୍ଦ୍ରଙ୍କ ସ୍ତ୍ରୀ ଲକ୍ଷ୍ମୀ ନାଗ ଓ ରାଜକୁମାରଙ୍କ ସ୍ତ୍ରୀ ଗୁରୁବାରୀ ନାଏକ ପ୍ଲାଣ୍ଟସାଇଟ୍ ଥାନାରେ ମୌଖିକ ଅଭିଯୋଗ କରିଥିଲେ ବୋଲି ସେମାନଙ୍କଠାରୁ ପ୍ରକାଶ। ତାପରେ ସେମାନେ ଭାଗ୍ୟକୁ ଆଦରି ଚୁପ୍ ବସିଥିଲେ।

ପ୍ରାୟ ଦେଢ଼ମାସ ପୂର୍ବେ ଅଟକ ଶ୍ରମିକ ରବୀନ୍ଦ୍ର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ଫୋନ୍ କରି ମାଡ଼ ମରା ଯାଉଥିବା ଜଣାଇଥିଲେ। ଏହାସହ କୌଣସିମତେ ଉଦ୍ଧାର କରିନେବାକୁ କୁଆଡ଼େ କାକୁତିମିନତି ହୋଇଥିଲେ। ଏହାପରଠାରୁ ଲକ୍ଷ୍ମୀ ଆଉ ସ୍ବାମୀଙ୍କ ସହ କଥାବାର୍ତ୍ତା ହୋଇପାରିନାହାନ୍ତି। ଉକ୍ତ ନମ୍ବରରେ ଫୋନ୍ କଲେ ରବୀନ୍ଦ୍ର ସେଠାରେ କାମ କରୁନଥିବା ପ୍ରତ୍ୟୁତ୍ତର ମିଳୁଛି। ରବୀନ୍ଦ୍ରଙ୍କ ଏବେ କୌଣସି ଖୋଜଖବର ନ ଥିବାରୁ ତାଙ୍କ ଜୀବନରୁ ମାରିଦେଇଥିବା ଆଶଙ୍କା ଭିତରେ ଅଛନ୍ତି ପରିବାର। ରବୀନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ୪ ଜଣ ଶ୍ରମିକ ମଧ୍ୟ ସେଠାରେ ଏବେବ ବି ବନ୍ଧା ପଡ଼ିଛନ୍ତି। ବନ୍ଧୁକ ମୁନରେ ସେମାନଙ୍କୁ କାମ କରିବାକୁ ବାଧ୍ୟ କରାଯିବା ସହ ପରିବାର ସହ କଥାବାର୍ତ୍ତା କରିବାକୁ ମଧ୍ୟ ସୁଯୋଗ ଦିଆଯାଉନଥିବା ପରିବାରବର୍ଗ ଲୁହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe