ରଜ ପରେ ଓଡିଶାରେ ହଟିବ କି କଟକଣା? ସଂକ୍ରମଣ କମିବା ପରେ ଦିଲ୍ଲୀରେ ସୋମବାରଠୁ ହଟିବ କରୋନା କଟକଣା 

3,959

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ସଂକ୍ରମଣ ହାର କମୁଛି । ଟିକାକରଣ ମଧ୍ୟ ସେହି ପରିମାଣରେ ଜୋରଦାର ଚାଲିଛି । କରୋନା ଚେନକୁ ଭାଙ୍ଗିବା ପାଇଁ ଲକଡାଉନ୍ କଟକଣା କଡାକଡି ଭାବେ ପାଳନ ହେଉଛି । ତେବେ ସଂକ୍ରମଣ କମିବା ପରେ ଅନ୍ୟ ରାଜ୍ୟଗୁଡିକ ତାଲାବନ୍ଦ କଟକଣାକୁ ହଟାଇବାକୁ ନିସ୍ପତ୍ତି ନେଇଛନ୍ତି । ସେହି କ୍ରମରେ ଓଡିଶାରେ ସଂକ୍ରମଣ ହାର କମୁଥିବାରୁ ଲକଡାଉନ୍ ରଜ ପରେ ହଟିବ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉପୁଜିଛି ।

ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସୋମବାରଠାରୁ ପର୍ଯ୍ୟାୟକ୍ରମେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତା ସୋମବାରଠୁ ଦିଲ୍ଲୀର ଦୋକାନ ବଜାର ଓ ମଲ ଖୋଲିବାକୁ ଯାଉଛି । ଅଡ-ଇଭେନ ଫର୍ମୂଲାରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ ।

ସେହିପରି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ଟ୍ରେନ ଚଳା ଚଳ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଗକୁ ସ୍ଥିତିରେ ସୁଧାର ଆସିଲେ ଆହୁରି କଟକଣା କୋହଳ କରାଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେହିପରି ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବାରୁ ୫ଟି ପର୍ଯ୍ୟାୟରେ ଲକଡାଉନ ହଟାଇବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ସରକାର । ତାମିଲନାଡୁ ସରକାର ମଧ୍ୟ ସର୍ତମୂଳକ ଭାବେ କଟକଣା କୋହଳ କରିବାକୁ ଘୋଷଣା କରିଛନ୍ତି । ତେବେ ଓଡିଶାରେ କେବେ କଟକଣା ହଟିବ ସେ ନେଇ କୌଣସି ସୂଚନା ମିଳିନାହିଁ । କାରଣ ଏବେବି ରାଜ୍ୟରେ ସଂକ୍ରମଣ ହାର ଅଧିକ ରହିଛି । ତେବେ ରଜ ପରେ ଲକଡାଉନ ହଟିବ କି ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।