ମାଟ୍ରିକ୍ ମାର୍କକୁ ନେଇ ତେଜିଲା ବିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ବୋର୍ଡ ସଭାପତି କହିଲେ, ମୂଲ୍ୟାୟନରେ ହୋଇନି କୌଣସି ତ୍ରୁଟି ।

238

କନକ ବ୍ୟୁରୋ : ବିବାଦ ଘେରରେ ମାଟ୍ରିକ ମାର୍କ । ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ତେଜୁଛି ଅସନ୍ତୋଷ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଅପେକ୍ଷାକୃତ କମ୍ ମାର୍କ ଦିଆଯାଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ସ୍କୁଲ ଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ବୋର୍ଡ ଅଫିସ୍ ଯାଏଁ ପହଂଚିଯାଇଛି । କଟକ, ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

କରୋନା ପାଇଁ ବିକଳ୍ପ ମାର୍କିଂ ବ୍ୟବସ୍ଥାରେ ରେଜଲ୍ଟ ବାହାରିବା ପରେ ଏଭଳି ପ୍ରତିକ୍ରିୟା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନଟ ଲଗାଇ ଦେଇଛି । ସ୍କୁଲ ଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ବୋର୍ଡ ଅଫିସ୍ ଯାଏଁ ପହଂଚିଯାଇଛି । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିଛନ୍ତି ।

ଅଧିକ ଅସନ୍ତୋଷ ଦେଖିବାକୁ ମିଳିଛି , ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ନିକଟରେ । କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ ସ୍ତରରେ ପ୍ରତିବାଦ କରିଛନ୍ତି । କେଉଁ କାରଣରୁ ମାର୍କ କମିଲା ସେ ନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ।

ସମ୍ବଲପୁରରେ ମଧ୍ୟ ମାଟ୍ରିକ ମାର୍କକୁ ନେଇ ସ୍କୁଲ ପିଲାଙ୍କ ଭିତରେ ଅସନ୍ତୋଷ । ସମ୍ବଲପୁର ସିଦେ୍ଧଶ୍ୱରୀ ବେର୍ଣ୍ଣା ସରସ୍ୱତୀ ମନ୍ଦିରରେ ଧାରଣାରେ ବସିଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି । କହିଛନ୍ତି, ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇ ନାହିଁ । ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ ।

କିନ୍ତୁ ପ୍ରଶ୍ନ ଉଠୁଛି, ସତରେ କଣ ଛାତ୍ରଛାତ୍ରୀମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଯୁକ୍ତ ଦୁଇ ଆଡମିସନ ହୋଇ ସାରିଥିବ । ଯୁକ୍ତ ଦୁଇ ପଢ଼ିବେ ନା ମାଟ୍ରିକ ପରୀକ୍ଷା ପାଇଁ ପଢ଼ିବେ । ପ୍ରକୃତରେ ଏତେ ବଡ ଅସନ୍ତୋଷ କାହିଁକି ହେଲା, ତାହା ସାମ୍ନାକୁ ଆସିବା ଦରକାର ।