ରାଜ୍ୟରେ ସାଢ଼େ ୪ କୋଟି ଟପିଲା ଟିକାକରଣ : ଟ୍ୱିଟ କରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

80

କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାକରଣ ସାଢ଼େ ୪ କୋଟି ଟପିଛି । ବୁଧବାର ରାଜ୍ୟରେ ୨ଲକ୍ଷ ୪୮ହଜାର ୭୭୩ ହିତାଧିକାରୀଙ୍କୁ କୋଭିଡ ଟିକା ଦିଆଯିବା ପରେ ମୋଟ ଟିକାକରଣ ସଂଖ୍ୟା ୪କୋଟି ୫୨ଲକ୍ଷ ୮୪ହଜାର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶ‌ୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର । ରାଜ୍ୟ ଏ ଦିଗରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି ।

ରାଜ୍ୟରେ ୧୮-୪୪ବର୍ଗର ୮୧ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୦ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ଏହାସହ ୩ଲକ୍ଷ ୮୧ହଜାର ୫୫୧ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକା ଦିଆଯାଇଛି । ରାଜ୍ୟରେ ସମୁଦାୟ ୩.୨୫ କୋଟି ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ପାଖରେ ଏବେ ୫୦ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ୍ ରହିଛି । ଆସନ୍ତାକାଲି ରାଜ୍ୟରେ ୨୩୩୪ ଟିକାକରଣ ଅଧିବେଶନ ଆୟୋଜିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।