ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ‘ଓଡ଼ିଶା ମଣ୍ଡପ’ । ବାଣିଜ୍ୟଠୁ ଆରମ୍ଭ କରି ହସ୍ତଶିଳ୍ପ, ବିଶ୍ୱ ପାଉଛି ପୂରା ତଥ୍ୟ ।

144

କନକ ବ୍ୟୁରୋ: ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ  । ଦିଲ୍ଲୀର ପ୍ରଗତି ମଇଦାନରେ ବିଶ୍ୱ ପାଉଛି ଓଡ଼ିଶାର ଶିଳ୍ପାନୁକୁଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ପୂରା ତଥ୍ୟ । ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଭାରତ ଆନ୍ତର୍ଜାତୟ ୨୦୧୯ରେ ଆନ୍ତରିକ ସହଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି ।

ଏହି ବାଣିଜ୍ୟ ମେଳାରେ ଆୟୋଜିତ ହୋଇଥିବା ଓଡ଼ିଶା ମଣ୍ଡପକୁ ଉଦଘାଟିତ କରିଛନ୍ତି ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ପରାମର୍ଶ ଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ମଙ୍ଗରାଜଙ୍କ ସହ ନୂଆଦିଲ୍ଲୀସ୍ଥିତ ରାଜ୍ୟ ସରକାରଙ୍କ ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରମୂଖ ସାମିଲ ହୋଇଥିଲେ ।

କେବଳ ଶିଳ୍ପ ନୁହେଁ ବରଂ ଏହି ଆନ୍ତର୍ଜାତୀୟ ମେଳାରେ ରାଜ୍ୟର ପାରମ୍ପାରିକ ହସ୍ତଶିଳ୍ପ ଓ ହସ୍ତତନ୍ତ୍ରର ପ୍ରଚାର ପ୍ରସାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେଥିଲାଗି ଉତ୍କଳିକା ଓ ବୟନିକାର ଦୁଇଟି ଷ୍ଟଲ, ଆଦିବାସୀ ଅଞ୍ଚଳର ପ୍ରସ୍ତୁତ ସୂତା କପଡ଼ା ଓ ତାରକସି କାର୍ଯ୍ୟର ୨ଟି ଷ୍ଟଲ୍ ଏହି ଆନ୍ତର୍ଜାତୀୟ ମେଳାରେ ସ୍ଥାନ ପାଇଛି । ସେପଟେ ଓଡ଼ିଶାର କଳାକୃତିକୁ ବିଶ୍ୱ ଦରବାରରେ ଅଧିକରୁ ଅଧିକ ପହଁଚାଇବା ଆସନ୍ତା ୨୧ ତାରିଖରେ ଓଡ଼ିଶାର ବଛାବଛା ୭ଟି ସାଂସ୍କୃତିକ ଦଳ ପ୍ରଗତି ମଇଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ସବୁଠାରୁ ବଡ଼କଥା ହେଲା, ଚଳିତବର୍ଷ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି । ଆଉ ଓଡ଼ିଶାରେ କିଭଳି ବ୍ୟବସାୟିକ ଏବଂ ବାଣିଜ୍ୟକ କ୍ଷେତ୍ରରେ ଭିତ୍ତିଭୂମିର ପ୍ରକୃତ ମୂଲ୍ୟାୟନ କରିବା ସହ ଏହାର ସଦୁପଯୋଗ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ଗଢ଼ି ତୋଳିବା ଏହାର ମୂଳ ଲକ୍ଷ୍ୟ ରହିଛି ।