ଶତ୍ରୁ ଦେଶରୁ ସୁନ୍ଦରଗଡ । ୨୫ ବର୍ଷ ପରେ ପାକିସ୍ତାନରୁ ଫେରୁଛି ଓଡିଆ ପୁଅ । ବାଟ ଚାହିଁ ବସିଛି ମାଟି ମାଆ । କେମିତି ଫଶିଥିଲେ ପାକିସ୍ତାନରେ…?

673

କନକ ବ୍ୟୁରୋ: ସୁନ୍ଦରଗଡ କୁତ୍ରା ଗାଁରେ ଉତ୍ସବର ପରିବେଶ । କାରଣ ୨୫ ବର୍ଷ ପରେ ଗାଁରୁ ହଜିଯାଇଥିବା ଯୁବକ ଗାଁକୁ ଫେରୁଛି । ସୀମାପାର କରି ଲାହୋର ଜେଲରୁ ମାଟିର ପୁଅ ଫେରୁଛି । ଏବେ ପାକିସ୍ତାନରୁ ଓଡିଶାକୁ ଫେରୁଛି ପୁଅ । ଆଉ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ଆୟୋଜନ କରାଯାଇଛି । ଘର ଲୋକେ ଅନାଇ ବସିଛନ୍ତି କେବେ ଘରକୁ ଫେରିବ ତାଙ୍କ ହଜିଲା ପୁଅ ।

ବିର୍ଜୁ କୁଲୁ, ବର୍ତ୍ତମାନ ଚର୍ଚ୍ଚା ସାଉଁଟିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁନ୍ଦରଗଡ କୁଟ୍ରା ଅଞ୍ଚଳର । ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଦୀର୍ଘ ୨୫ବର୍ଷ ଧରି ପାକିସ୍ତାନର ଲାହୋର ଜେଲରେ ରହିବା ପରେ ସେ ଓଡିଶା ଫେରୁଛନ୍ତି । ବର୍ତମାନ ସେ ୱାଘା ସୀମା ନିକଟରେ ଅମୃତସରର ଏକ କୋଭିଡ ସେଂଟରରେ ଅଛନ୍ତି । ଆଉ ଖୁବଶୀଘ୍ର ସେଠାରୁ ଓଡିଶା ଫେରିବେ ।

ତେବେ ପୁରା କାହାଣୀ ଜାଣିବାକୁ ହେଲେ ଆମକୁ ୨୦ରୁ ୨୫ବର୍ଷ ତଳକୁ ଯିବାକୁ ପଡିବ । ପାଖାପାଖି ୧୯୯୯ ମସିହାର ଘଟଣା । ଯେତେବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବିର୍ଜୁ କୁଲୁ । କୌଣସି କାରଣରୁ ହଠାତ ଘର ଛାଡି ଦେଇଥିଲେ । ପରେ ସେ କୁଆଡେ ଗଲେ ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପତା ପାଇନଥିଲେ । କିନ୍ତ୍ୁ ହଠାତ ଘର ଲୋକ ଜାଣିବାକୁ ପାଇଥିଲେ ଝାଡଖଣ୍ଡରେ ଏକ ଦୋକାନରେ କାମ କରୁଛନ୍ତି ବିର୍ଜୁ । କିନ୍ତୁ ସେଠାରେ ପହଂଚିବା ବେଳକୁ ବିର୍ଜୁ କୁଆଡେ ଚାଲିଯାଇଥିଲେ ।

କେନ୍ଦ୍ର ଗୃହ ବିଭାଗ ମାଗିଲା ଫଟୋ । ପାକିସ୍ତାନରେ ଥିବା ନେଇ ଆସିଲା ଖବର । ବିର୍ଜୁଙ୍କ କଥା ସେତେବେଳେ ଜଣାପଡିଥିଲା ଯେତେବେଳେ ଗୃହ ବିଭାଗ ପ୍ରାୟ ବର୍ଷେ ତଳେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ବିର୍ଜୁଙ୍କୁ ଚିହ୍ନଟ କରିବା ପାଇଁ ଏକ ଫଟୋ ମାଗିଥିଲେ । ଆଉ ଗଲା ଅକ୍ଟୋବର ୨୬ ତାରିଖରେ ଲାହୋର ଜେଲରୁ ମୁକ୍ତ ହୋଇଥିଲେ ବିର୍ଜୁ । ବିର୍ଜୁଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଚିଫ ରେସିଡେଂଟ କମିଶନର ରବି କାନ୍ତ ସୁନ୍ଦରଗଡ ଜିଲ୍ଲପାଳଙ୍କୁ ଏକ ଚିଠି ଲେଖିଥିଲେ ।

ବିର୍ଜୁଙ୍କ ସମ୍ପର୍କରେ ଜାଣିବା ପରେ ଏବେ ତାଙ୍କ ଭଉଣୀ ଓ ବିର୍ଜୁଙ୍କ ମଧ୍ୟରେ କଥାବାର୍ତା କରାଇଦିଆଯାଇଛି । ଖୁବଶୀଘ୍ର ତାଙ୍କୁ ଓଡିଶା ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିର୍ଜୁଙ୍କ ବାପା ମା ଏବେ ଆରପାରିରେ । କିନ୍ତୁ ଘରର ଅନ୍ୟ ସଦସ୍ୟମାନେ ବେଶ ଉତ୍ସୁକତାର ସହ ବିର୍ଜୁଙ୍କ ଫେରିବାବାଟକୁ ଅନାଇ ବସିଛନ୍ତି । ଏବେ କେବଳ ମୋବାଇଲରେ ତାଙ୍କ ଫଟୋ ଦେଖି ଭାବପ୍ରବଣ ହେଉଛନ୍ତି ।