କନକ ବ୍ୟୁରୋ : ସ୍ନେହଠୁ ସନ୍ତାନ ଦୂରେ ଥିଲା । ମା’ଠୁ ମମତା ଅଲଗା ଥିଲା । ଆଉ ୭ ବର୍ଷ ପରେ ଯେତେବେଳେ ପୁଅକୁ ଆଖି ସାମ୍ନାରେ ଦେଖୁଛି ମା । ଲୁୁହ ବି ବୋଲ ମାନୁନି  । ବୋଲ ମାନିଥାନ୍ତା ବା କିପରି । ଅପେ ଝରି ଆସୁଛି ।

Advertisment

ଜନ୍ମ ଦେଇଥିବା ମା’ଙ୍କ ଯେଉଁ ଦୁଃଖ ଥିଲା, ଜୀବନ ସାରା ସାଥୀ ହେବାର ପ୍ରତିଶ୍ରୁତି ପାଇଥିବା ସ୍ତ୍ରୀର ସେଇ କଷ୍ଟଥିଲା । ଯେମିତି, ସ୍ୱାମୀର ଫେରିବା ବାଟକୁ ଚାହିଁ ବସିଥିଲେ ସ୍ତ୍ରୀ । ସ୍ୱାମୀର ଦୀର୍ଘାୟୁ କାମନା କରି କେତେ ଯେ ପୂଜା ପାଠ କରିଛନ୍ତି ସେ କଥା କେବଳ ସେ ହିଁ ଜାଣନ୍ତି । ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି । ଘରକୁ ଫେରିଛନ୍ତି ତାରାକାନ୍ତ ।

ରୋଜଗାର ଆଶାରେ ୭ ବର୍ଷ ତଳେ ମାଲେସିଆ ଯାଇଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ତାରାକାନ୍ତ ମଲ୍ଲିକ । କିଛି ଟଙ୍କା ରୋଜଗାର କରିବେ । ପରିବାରର ଆର୍ଥିକ ସ୍ଥିତି ସୁଧୁରି ଯିବ । ହେଲେ ମାଲେସିଆରେ ଦଲାଲ ଫାଶରେ ଫସିଗଲେ ତାରାକାନ୍ତ । କିଛିଦିନ କାମ ମିଳିଲା, କିନ୍ତୁ ତାପରେ ପାସପୋର୍ଟ ନେଇ ଆଉ ଧରାଛୁଆଁ ଦେଲାନି ଦଲାଲ । ପୋଲିସ ଭୟରେ ଅନେକ ଦିନ ଓ ରାତି ବିତିଛି ଘଂଚ ଜଙ୍ଗଲରେ । ଆଉ ୭ ବର୍ଷର ସଂଘର୍ଷ ପରେ ମିଳିଛି ମୁକ୍ତିର ଆନନ୍ଦ ।

ମାଲେସିଆରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୭ ବର୍ଷ ତଳେ ପ୍ରବାସୀ ଓଡିଆ ସଞ୍ଜୟ ଦାସ ଏକ ପ୍ରୟାସ କରିଥିଲେ । ସେହି ସମୟରେ ୯ ଜଣ ଉଦ୍ଧାର ହୋଇଥିବାବେଳେ ୨ ଜଣ ଆସିପାରି ନଥିଲେ । ଆଉ ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାରାକାନ୍ତ । ୭ ବର୍ଷ ପରେ ତାରାକାନ୍ତଙ୍କୁ ଉଦ୍ଧାର କରିବା ପାଇଁ ଅଂଟା ଭିଡିଲେ ପ୍ରବାସୀ ଓଡିଆ ଓ ଓଡିଶାର କିଛି ସଂଙ୍ଗଠନ ।

କେବଳ ତାରାକାନ୍ତ ନୁହଁନ୍ତି ତାଙ୍କ ଅନେକ ଶ୍ରମିକ ଦଲାଲ ଫାଶରେ ପଡି ହନ୍ତସନ୍ତ ହେଉଛନ୍ତି । ଏବେବି ଅନେକ ମୁକ୍ତି ପାଇବା ପାଇଁ କରୁଛନ୍ତି ସଂଘର୍ଷ ।