ବାରିପଦାରେ ଅଜବ ଘଟଣା । ୫ ମିନିଟ୍ ବ୍ୟବଧାନରେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ୨ଟି ଡୋଜ୍ ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । 

969

କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଚରମ ଅବହେଳା ଅଭିଯୋଗ । ମାତ୍ର ୫ ମିନିଟରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଟିକା ଦେଇ ଦେଲେ ସ୍ୱାସ୍ଥ୍ୟକର୍ମୀ । ଏକାଥରେ ଦୁଇଟି ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଭୁଲ ହୋଇଯାଇଛି କହି, ବିନା ଅବର୍ଜରବେସନରେ ଘରକୁ ପଠାଇ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କରୋନାର ଭୟାବହତା ଭିତରେ ଭ୍ୟାକସିନକୁ ସଞ୍ଜିବନୀ ଭାବେ ଦେଶବାସୀଙ୍କୁ ଦିଆଯାଉଛି । ଆଉ ଏତିକି ବେଳେ ଟିକାକରଣ କେନ୍ଦ୍ରରେ ଏଭଳି ଦାୟିତ୍ୱହୀନ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।

ମାତ୍ର ୫ ମିନିଟର ବ୍ୟବଧାନ ଭିତରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ଟିକାର ଦୁଇ ଦୁଇଟି ଡୋଜ୍ । କେବଳ ସେତିକି ନୁହେଁ, ଟିକା ଦେଇସାରିବା ପରେ ଭୁଲ ହୋଇଯାଇଛି କହି, କିଛି ପକେଟ୍ ଓଆରଏସ୍ ଦେଇ ଘରକୁ ପଠାଇ ଦିଆଯାଇଛି ।

ବାଛୁରୀପଡା ଗାଁର ପ୍ରସନ୍ନ କୁମାର ସାହୁ ସ୍ଲଟ୍ ବୁକିଂ କରି, ବେତନଟୀ ଖୁଂଟାପୁର ଅସ୍ଥାୟୀ ଟିକାକରଣ କେନ୍ଦ୍ରକୁ ପ୍ରଥମ ଡୋଜ୍ ଟିକା ନେବା ପାଇଁ ଆସିଥିଲେ । ଆଧାର କାର୍ଡ ଦେଖାଇ ନାମ ପଞ୍ଜୀକରଣ କରିବା ପରେ ତାଙ୍କର ପାଳି ପଡିବାରୁ ଟିକାକରଣ ଗୃହକୁ ଯାଇ ଚୌକିରେ ବସିଥିଲେ । ସେଠାରେ ଜଣେ ନର୍ସ ତାଙ୍କୁ ପ୍ରଥମ ଡୋଜ୍ ଟିକା ଦେଇଥିଲେ । ଆଉ ଅଧାଘଂଟା ପାଇଁ କେନ୍ଦ୍ରରେ ବିଶ୍ରାମ ନେବାକୁ କହିଥିଲେ । ହେଲେ ପ୍ରସନ୍ନ ସେହି ଚୌକିରେ ବସିଥିବା ବେଳେ ସେହି ନର୍ସ ଆସି ଆଉ ଗୋଟାଏ ଡୋଜ୍ ଟିକା ଦେଇଥିଲେ । ପ୍ରସନ୍ନ କିଛି କହିବା ପୂର୍ବରୁ ଟିକା ଦେଇସାରିଥିଲେ ନର୍ସ ।

ମାତ୍ର ୫ ମିନିଟ୍ ଭିତରେ ଦୁଇଟି ଟିକା ନେଇଥିବା କାରଣରୁ ପ୍ରସନ୍ନ ପ୍ରଥମେ ଡରିଯାଇଥିଲେ । ହେଲେ ସ୍ୱାସ୍ଥ୍ୟକର୍ମୀ ମାନେ କିଛି ଓଆରଏସ୍ ପ୍ୟାକେଟ୍ ହାତରେ ଦେଇ ଘରକୁ ପଠାଇ ଦେଲେ । ଆଉ ଯିବା ସମୟରେ କହିଲେ, ଅସୁବିଧା ହେଲେ କାହାକୁ କିଛି ନକହି ଡାକ୍ତରଖାନାରେ ଏଡମିଟ୍ ହୋଇଯିବ । ଟିକାକରଣର ଏହି ଚରମ ଅବହେଳା ଭି୍ତରେ ସୌଭାଗ୍ୟବଶତଃ ପ୍ରସନ୍ନଙ୍କ ସ୍ୱାସ୍ଥ୍ୟଗତ ଅସୁବିଧା ହୋଇନାହିଁ ।