କଏନ ଦେଲେ, ସ୍କୁଟି କିଣିଲେ । ଗାଡି ପାଇଁ ସୋ’ରୁମରେ ଗଣାହେଲା ଖୁଚୁରା ଟଙ୍କା । ୬୨ ହଜାର କଏନ ଦେଇ ସ୍କୁଟି କିଣିଲେ ଯୁବକ ।

361

କନକ ବ୍ୟୁରୋ: ଟେବୁଲ ଉପରେ ମାଳ ମାଳ କଏନ, ଜୋରଦାର ଚାଲିଛି ଗଣା । ଖୁଚୁରା ଗଣି ଗଣି ଥକିଗଲେଣି କର୍ମଚାରୀ । ଦୂରରୁ ଟଙ୍କା ଗଣାର ଏ ଦୃଶ୍ୟ ମନରେ ଭ୍ରମ ସୃଷ୍ଟି କରୁଥିବ ନିଶ୍ଚିତ । ତେବେ ଦର୍ଶକବନ୍ଧୁ ଏ କେଉଁ ଭିଜିଲାନ୍ସ ରେଡର ଦୃଶ୍ୟ ନୁହେଁ କି କେଉଁ ମନ୍ଦିରର ଦାନହୁଣ୍ଡିରୁ ଟଙ୍କା ଗଣିବାର ଦୃଶ୍ୟ ନୁହେଁ ବରଂ ଏ ଖୁଚୁରା ଟଙ୍କା ଗଣା ହେଉଛି ଗାଡି କିଣିବାକୁ । ପୁଳାପୁଳା କଏନ ଦେଇ ସ୍କୁଟି କିଣିବାକୁ ସୋ ରୁମ ଆସିଛନ୍ତି ଯୁବକ ଜଣକ ।

ତେବେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ବିକାଶ ମହାପାତ୍ର ନାମକ ଜଣେ ଯୁବକ । ପାନ ଦୋକାନରୁ ଦୀର୍ଘ ୧୫ ବର୍ଷ ହେବ ଖୁଚୁରା ପଇସା ସଂଚୟ କରି ଆସୁଥିଲେ । ଗତ ୩ ଦିନ ତଳେ ସେ ଯେତେବେଳେ ଉକ୍ତ ଟଙ୍କାକୁ ଗଣିବା ଆରମ୍ଭ କଲେ ତାହା ୬୨ ହଜାର ଟଙ୍କା ହୋଇଥିବା ଜାଣିଥିଲେ । ଆଉ ସାଙ୍ଗେସାଙ୍ଗେ ସେହି ଟଙ୍କାରେ ସ୍କୁଟି କିଣିବେ ବୋଲି ସ୍ଥିର କରି ସୋରୁମରେ ହାଜର ହୋଇଥିଲେ ।

ଗାଡି ସୋରୁମରେ ମାଲିକଙ୍କ ସହ ଯୋଗାଯୋଗ ପରେ ଘରୁ ଖୁଚୁରା ଟଙ୍କା ନେଇ ଗାଡି କିଣିବାକୁ ଆସିଥିଲେ ବିକାଶ । ଆଉ ଏ ହେଉଛି କଏନ ନେଇ ସୋରୁମରେ ପହଞ୍ଚିବା ପରର ଦୃଶ୍ୟ । ମାଲିକ ଠାରୁ କର୍ମଚାରୀ ଯାଏଁ ସମସ୍ତେ ଖୁଚୁରା ଗଣିବାରେ ବ୍ୟସ୍ତ ।

ନିଜ ସଂଚିତ ଟଙ୍କା ତାହା ପୁଣି ଖୁଚୁରା ଟଙ୍କାରେ ସ୍କୁଟି କିଣି ଘରକୁ ନେଇଥିବାରୁ ବେଶ ଖୁସି ଅଛନ୍ତି ଯୁବକ ଜଣଙ୍କ । ତେବେ ଏହା ପୂର୍ବରୁ ତାମିଲନାଡୁର ଜଣେ ଯୁବକ ଅଢେଇ ଲକ୍ଷ ଟଙ୍କାର କଏନ ଦେଇ ସୋରୁମରୁ ବାଇକ କିଣିଥିଲେ । ଯାହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ବାରିପଦାରୁ ଆସିଛି ଏମିତି ଖବର ।