ବାହାର ରାଜ୍ୟରୁ ଓଡିଶାକୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ରିପୋର୍ଟ : ନହେଲେ ୭ ଦିନ ସଙ୍ଗରୋଧ ବାଧ୍ୟତା ମୂଳକ

୧୨ ତାରିଖରୁ ଲାଗୁ ହେବ କଟକଣା ; ଛତିଶଗଡକୁ ୧୦ରୁ ୩୦ ତାରିଖ ଯାଏଁ ସାଧାରଣ ପରବିହନ ବନ୍ଦ, ୧୬ ଜିଲ୍ଲାପାଳଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲିବାକୁ ଦିଆଗଲା କ୍ଷମତା

95

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶା ଆସିବା ଉପରେ ଏକାଧିକ କଟକଣା ଜାରି କରାଯାଇଛି । ଟ୍ରେନ୍‌, ବସ୍‌, ବିମାନରେ ଆସୁଥିବା ଯାତ୍ରୀ ଓଡ଼ିଶାରେ ପ୍ରବେଶ କରିବା ସମୟରେ ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର । ଯେଉଁମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ଟିକାକରଣର ସାର୍ଟିଫିକେଟ୍‌ ଦେଖାଇବେ । ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ନ ଥିଲେ, ସାତ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ସେମାନେ ନିଜ ଇଚ୍ଛାରେ ଗୃହ ସଙ୍ଗରୋଧରେ ରହିପାରିବେ, ନଚେତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାତିରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି ହୋଇଛି ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) ଓ କ୍ଲଷ୍ଟର୍‌ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଲ୍‌ ଟିଏମ୍‌ସି)କୁ ପ୍ରସ୍ତୁତ ରଖିବାକୁ ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ‌କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର । ଟିଏମ୍‌ସି ଖୋଲିବା ଓ ତାହାକୁ ଚଳାଇବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ।

ଛତିଶଗଡ଼ରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବଢ଼ିଥିବାରୁ ଓଡ଼ିଶାରୁ ଛତିଶଗଡ଼କୁ ସମସ୍ତ ପ୍ରକାର ଯାତ୍ରୀ ପରିବହନ ସେବାକୁ ଏପ୍ରିଲ୍‌ ୩୦ ଯାଏ ବାତିଲ କରାଯାଇଛି । ସୀମାରେ ଥିବା ଚେକ୍‌ ପଏଣ୍ଟ୍‌ଗୁଡ଼ିକରେ ପୁଲିସ୍‌ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହାୟତା ନେଇ ‌କଡ଼ାକଡ଼ି ଯାଞ୍ଚ୍‌ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ ଆସୁଥିବା ସମସ୍ତ ଗାଡ଼ି ଓ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି । ସୀମା ଚେକ୍‌ ପଏଣ୍ଟ୍‌ରେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ନ ଦେଖାଇଲେ ସେମାନଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଯିବ। ରାଜ୍ୟକୁ ଆସୁଥିବା ଲୋକ ଏଥି ପାଇଁ ଏକ ଫର୍ମ ପୂରଣ କରି ଅଣ୍ଟର୍‌ଟେକିଂ ଦେବେ।

ସମସ୍ତ ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ସଂସ୍ଥାର କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ପାଇଁ ନିଜସ୍ବ କୋଭିଡ୍‌ କେୟାର ସେଣ୍ଟର୍‌ ଖୋଲିବାକୁ କୁହାଯାଇଛି । ସମସ୍ତ ଅନୁଷ୍ଠାନ ଜଣେ ବରିଷ୍ଠ କର୍ମଚାରୀଙ୍କୁ କୋଭିଡ୍‌ କମ୍ପ୍ଲେୟାନ୍ସ ଅଫିସର୍‌(ସିସିଓ) ଭାବେ ଦାୟିତ୍ବ ପ୍ରଦାନ କରିବେ । ସଂପୃକ୍ତ ଅଧିକାରୀ ନିଜ ସଂସ୍ଥା ପରିସରରେ କୋଭିଡ୍‌ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରି ପ୍ରତିଦିନ ଜିଲ୍ଲାପାଳ/ ମହାନଗର ନିଗମ କମିସନର୍‌ଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ ନିଜ ନିଜ ଅଞ୍ଚଳର ସମସ୍ତ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ସହ ନିୟମିତ ବୈଠକ କରି କୋଭିଡ୍‌ ଗାଇଡ୍‌ଲାଇନ୍ ମାନିବାକୁ ସଚେତନ କରାଇବା ପାଇଁ କୁହାଯାଇଛି ।