କନକ ବ୍ୟୁରୋ : ଉପଚାର ପରେ ଜରରୁ ସୁସ୍ଥ ହେଲେ ମହାପ୍ରଭୁ । ଗଜପତି ମହାରାଜଙ୍କ ପାଖକୁ ସୁସ୍ଥ ହେବା ନେଇ ଗଲା ଖବର । ଅନବସର ସମୟରେ ଶ୍ରୀଅଙ୍ଗକୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଯିବେ । ଏହା ପରେ ମହାରାଜଙ୍କ ସହିତ ଆଲୋଚନା କରି ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ଦଇତାପତି ।
ମାତ୍ର ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ରାଜପୁରୋହିତ ସମସ୍ତ ଦଇତାପତିଙ୍କୁ ସମ୍ମାନ ଜଣାଇ ଶିଳିପା ବାନ୍ଧିଥାନ୍ତି । ଏହା ସହ ଘୋଷଯାତ୍ରାରେ କିପରି ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ କରାଯିବ ସେ ଉପରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିବେ ।
ସେପଟେ, ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ ହୋଇଛି । ସିଂହାସନ ବେଦି ଉପର ପ୍ରଥମ ଭୂଇଁ ମଧ୍ୟ ଭାଗରେ କନକ ମୁଣ୍ଡି ବସି ଏଥିରୁ ୪ଟି କାଣ୍ଡ ଓ ୨୦ଟି ରୁଅ ଗମ୍ବୁଜାକାର ଭାବେ ସଂଯୋଗ ହୋଇଛି। ପରେ ବର୍ଷା ପାଣି ନ ପଡ଼ିବା ପାଇଁ ଏଥିରେ ପିତଳ ଚଦର ଆବରଣ ପଡ଼ିବ ।
ତିନି ରଥର ତିନୋଟି ଲେଖାଏଁ ବିଜେ ଚପା ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରି ରହିଛି । ଚିତ୍ରକର ସେବକମାନେ ଶୁକ୍ରବାର ଦିନ ୨୪ଟି ନାଟଗୋଡ଼ରେ ରଙ୍ଗ କାମ ଶେଷ କରିଛନ୍ତି । ୮ଟି ଲେଖାଏଁ କନ୍ୟା ପଟାରେ କନ୍ୟା ଚିତ୍ର ଆଙ୍କିଛନ୍ତି । ଏହା କୋଣଗୁଜ ନିକଟ ଦଣ୍ଡା ମୁହାଣ୍ଟ ଓ ନିରାଡ଼ିରେ ସଂଯୋଗ ହେବ ।